Fri. May 17th, 2024

କାଲିଠୁ ଖୋଲିବ ସ୍କୁଲ, ସ୍କୁଲ ଯିବା ପାଇଁ ଅବିଭାବକଙ୍କ ଠାରୁ ଲିଖିତ ଅନୁମତି ବାଧ୍ୟତାମୂଳକ

By amfnews Jan 7, 2021 #Featured
206 Views

ଭୁବନେଶ୍ୱର, ଜାନୁଆରୀ ୬ : ପୁରା ରାଜ୍ୟରେ ଆସନ୍ତା କାଲିଠୁ (ଜାନୁଆରୀ ୮) ରୁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଖୋଲିବାକୁ ଯାଉଛି । କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବାକୁ ଯାଉଛି ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଫଲାଇନ୍ କ୍ଳାସ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସବୁ କୋଭିଡ୍ ଗାଇଡଲାଇନ୍ସକୁ କଡାକଡି ଭାବେ ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ସବୁ ଜିଲ୍ଲାର ଜିଲ୍ଲାପାଳ ମାନେ ସ୍ୱତନ୍ତ୍ର ଭାବରେ ଏଥିପ୍ରତି ଧ୍ୟାନ ଦେବେ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସ୍କୁଲ ଖୋଲିବା ପୂର୍ବରୁ ସବୁ ପ୍ରକାର ସ୍ଥିତିକୁ ସ୍କୁଲ କର୍ତ୍ତୁପକ୍ଷଙ୍କ ଦ୍ୱାରା ସମୀକ୍ଷା କରାଯାଇଛି । ଏଥି ସହିତ ଚଳିତ ବର୍ଷ ମାତ୍ର ୧୦୦ ଦିନ ପିଲାମାନଙ୍କ ପାଠପଢା ହେବାକୁ ଥିବା ବେଳେ ସ୍କୁଲ ଯିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଅବିଭାବକଙ୍କ ଠାରୁ ଲିଖିତ ଅନୁମତି ଆଣିବା ବାଧ୍ୟତାମୂଳକ କରାଯାଇଛି ।

ପାଠପଢ଼ା ନିମନ୍ତେ ଏକ ଗାଇଡ୍‌ଲାଇନ୍ ଜାରି କରାଯାଇଛି । ଏହି ଗାଇଡ୍‌ଲାଇନ୍ ଅନୁସାରେ ସରକାରୀ ସାହାଯ୍ୟପ୍ରାପ୍ତ ଓ ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକ ଖୋଲିବ । ଏହା ସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଦ୍ୱାରା ଜାରି କରାଯାଇଥିବା ନିଦ୍ଦେର୍ଶାବଳୀ ଗୁଡ଼ିକର ଅନୁପାଳନ ବାଧ୍ୟତାମୂଳକ ହେବ ।

ଚଳିତ ବର୍ଷ ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କୁ ବାର୍ଷିକ ପରୀକ୍ଷା ତଥା ବିଭିନ୍ନ ସର୍ବଭାରତୀୟ ପ୍ରତିଯୋଗିତାମୂଳକ ପରୀକ୍ଷା ନିମନ୍ତେ ପ୍ରସ୍ତୁତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶିକ୍ଷାନୁଷ୍ଠାନ ଖୋଲିବା ନିମନ୍ତେ ନିଷ୍ପତ୍ତି ନେଇଛି । ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା ଦେବା ପାଇଁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଜାନୁଆରୀ ୮ ତାରିଖରୁ ଅପ୍ରେଲ ୨୬ ତାରିଖ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ଦେବା ପାଇଁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଜାନୁଆରୀ ୮ରୁ ଅପ୍ରେଲ ୨୮ ପର୍ଯ୍ୟନ୍ତ କ୍ଲାସ ଚାଲିବ ।

ଅନ୍ୟପଟେ ସ୍କୁଲ ଖୋଲିବାର ୨ ଦିନ ପରେ ଦଶମ ଶ୍ରେଣୀ ପିଲାମାନଙ୍‌କ ଫର୍ମ ପୂରଣ ଆରମ୍ଭ ହେବାକୁ ଯାଉଛି । ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପିଲାମାନେ ଜାନୁଆରୀ ୧୦ ତାରିଖରୁ ଅନଲାଇନ୍ ମାଧ୍ୟମରେ ପରୀକ୍ଷା ପାଇଁ ଫର୍ମ ପୂରଣ କରିପାରିବେ ।

By amfnews

Related Post