Sun. Sep 6th, 2026

କଶ୍ମୀର ସମ୍ବନ୍ଧରେ କେନ୍ଦ୍ର ସରକାରଙ୍କୁ ପଚାରିଲେ ସୁପ୍ରିମ୍‌ କୋର୍ଟ- କେତେ ଦିନ କଟକଣା ଚାହୁଁଛ?

573 Views

ନୂଆଦିଲ୍ଲୀ: କଶ୍ମୀରରୁ କେବେ ସମସ୍ତ କଟକଣା ଉଠାଯିବ ବୋଲି ସୁପ୍ରିମ୍‌ କୋର୍ଟ ଗୁରୁବାର ଦିନ କେନ୍ଦ୍ର ସରକାରଙ୍କୁ ଉତ୍ତର ମାଗିଛନ୍ତି। ଅଗଷ୍ଟ ୫ ତାରିଖ ଦିନ ଜମ୍ମୁ ଓ କଶ୍ମୀରରୁ ଧରା ୩୭୦ ଉଚ୍ଛେଦ କରାଯାଇ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯିବା ବେଳେ ଏହି କଟକଣା ସବୁ ଲାଗୁ କରାଯାଇଥିଲା।

ପିଟିସନ୍‌ ଶୁଣାଣି କରି ଜଷ୍ଟିସ୍‌ ଏନ୍‌ଭି ରମନଙ୍କ ନେତୃତ୍ୱାଧୀନ ତିନି ବିଚାରପତିବିଶିଷ୍ଟ ଖଣ୍ଡପୀଠ ପଚାରିଛନ୍ତି: କେତେ ଦିନ କଟକଣା ଚାହୁଁଛ? ଦୁଇ ମାସ ବିତିଗଲାଣି। ଏ ସଂକ୍ରାନ୍ତରେ ଆପଣ ସ୍ପଷ୍ଟ କରିବା ଉଚିତ ଏବଂ ଅନ୍ୟ ପ୍ରଣାଳୀ ଦେଖିବା ଉଚିତ।

ଏହାର ପ୍ରତ୍ୟୁତ୍ତରରେ ସଲିସିଟର୍‌ ଜେନେରାଲ୍‌ ତୁଷାର ମେହେଟା କହିଲେ ଯେ ସମୟକ୍ରମେ ଉପତ୍ୟକାରେ ଲାଗୁ ହୋଇଥିବା କଟକଣାର ସମୀକ୍ଷା କରାଯାଉଛି। ହିଂସା କାଣ୍ଡ ଘଟିଥିବା ଗୋଟିଏ ଦୁଇଟି ସ୍ଥାନକୁ ଛାଡ଼ି ବାକି ୯୯% ସ୍ଥାନରେ କଟକଣା ନାହିଁ।

କଟକଣାର ସମୀକ୍ଷା କରାଯିବା ପ୍ରସଙ୍ଗରେ ବିଚାରପତି ଜଷ୍ଟିସ୍‌ ସୁଭାଷ ରେଡ୍ଡୀ କହିଲେ: ଆପଣ ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ କଟକଣା ଲାଗୁ କରିପାରନ୍ତି କିନ୍ତୁ, ଏହାର ସମୀକ୍ଷା ହେବା ଉଚିତ। ଏହାର ଜବାବରେ ମେହେଟା କହିଲେ ଯେ ଦୈନନ୍ଦିନ ଆଧାରରେ ତାହା ସମୀକ୍ଷା କରାଯାଉଛି।

ଏ ସଂକ୍ରାନ୍ତ ପରବର୍ତ୍ତୀ ଶୁଣାଣିକୁ ସୁପ୍ରିମ୍‌ କୋର୍ଟ ନଭେମ୍ବର ୫ ତାରିଖ ପାଇଁ ଦିନ ଧାର୍ଯ୍ୟ କରିଛନ୍ତି।

By amfnews

Related Post