Sun. Jul 26th, 2026

କଲେଜ ଅଧ୍ୟକ୍ଷଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହୋଇଥିବା ୧୮ ବର୍ଷ ବୟସ୍କା ପୀଡିତାର ଗର୍ଭପାତ କରାଇବାକୁ ନିର୍ଦ୍ଦେଶ ଦେଲେ ମାଡ୍ରାସ ହାଇକୋର୍ଟ

234 Views

ମଦୁରାଇ: ଏକ ଦୁର୍ଭାଗ୍ୟପୂର୍ଣ୍ଣ ଓ ଲଜ୍ଜାଜନକ ଯୌନ ନିର୍ଯାତନା ଓ ଦୁଷ୍କର୍ମ ଘଟଣାର ଶିକାର ହୋଇ ଗର୍ଭବତୀ ହୋଇଥିବା ଜନୈକା ୧୮ ବର୍ଷ ବୟସ୍କା ପୀଡ଼ିତାର ଗର୍ଭପାତ କରାଇବା ପାଇଁ ଆଜି ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ ଶିବଗଙ୍ଗା ମେଡିକାଲ କଲେଜ ଡିନ୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଗର୍ଭପାତ ପରେ ପୀଡ଼ିତାର ଗର୍ଭରୁ ବାହାରିଥିବା ଭୃଣକୁ ଡିଏନ୍‌ଏ ପରୀକ୍ଷା ପାଇଁ ସଂରକ୍ଷିତ କରି ରଖିବାକୁ ମଧ୍ୟ ଜାରି ନିର୍ଦ୍ଦେଶନାମାରେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ପୀଡ଼ିତା ଜଣକ ଏକ ନର୍ସିଂ କଲେଜର ଛାତ୍ରୀ ହୋଇଥିବା ବେଳେ ସଂପୃକ୍ତ କଲେଜର ଅଧ୍ୟକ୍ଷ ତାଙ୍କୁ ପରୀକ୍ଷାରେ ଫେଲ କରାଇଦେବାର ଧମକ ଦେଇ ତାଙ୍କୁ ଯୌନ ନିର୍ଯାତନା ଦେବା ସହ ତାଙ୍କୁ ଦୁଷ୍କର୍ମ କରି ଗର୍ଭବତୀ କରାଇଥିଲେ।

ପୀଡ଼ିତା ଜଣକ ୩ମାସର ଗର୍ଭବତୀ ଥିବା ବେଳେ ଏହି ଘଟଣା ଜଣା ପଡ଼ିଥିଲା। ତେବେ, ପୀଡ଼ିତାଙ୍କ ପରିବାରବର୍ଗ ସାମାଜିକ କଳଙ୍କକୁ ଡରି ଗର୍ଭପାତ କରାଇବାକୁ ଚାହିଁଥିଲେ ମଧ୍ୟ ବେଆଇନ୍‌ ଗର୍ଭପାତ କରାଇବା ଏକ ଦଣ୍ଡନୀୟ ଅପରାଧ ହୋଇଥିବା କାରଣରୁ କୌଣସି ଡାକ୍ତରଖାନା କିମ୍ବା ଡାକ୍ତର ତାଙ୍କର ଗର୍ଭପାତ କରାଇବାକୁ ରାଜି ହୋଇ ନଥିଲେ। ଶେଷରେ ପୀଡ଼ିତା ଜଣକ ଅନୋନ୍ୟପାୟ ହୋଇ ମାଡ୍ରାସ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ମାଡ୍ରାସ ହାଇକୋଟର ମଦୁରାଇ ବେଞ୍ଚ ଆଜି ଏହି ମାମଲାର ବିଚାର କରି ଉପରୋକ୍ତ ରାୟ ଦେଇଛନ୍ତି।

By amfnews

Related Post