Thu. Jun 11th, 2026

କଲୁଙ୍ଗା, ରାଜଗାଙ୍ଗପୁର ଓ ଲାଠିକଟା ଅଞ୍ଚଳରେ ହାତୀ ଉପଦ୍ରବ : ୧ ମୃତ

348 Views

ରାଉରକେଲା, ୨୩ା୧୦  : ସୁନ୍ଦରଗଡ ରାଜସ୍ୱ ଜିଲ୍ଲା ଅଧିନରେ ରାଜଗାଙ୍ଗପୁର ବ୍ଲକର ସୋନାଖାନ ଅଞ୍ଚଳରେ ଜଙ୍ଗଲିଆ ହାତୀମାନଙ୍କର ଉତ୍ପାତରେ ଗୋବର୍ଦ୍ଧନ ଲାକ୍ରା ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ଲାଠିକଟା ବ୍ଲକର କଲୁଙ୍ଗାଠାରେ ଥିବା ବନ ବିଭାଗ ଦ୍ୱାରା ପରିଚାଳିତ ସ’ ମିଲ ଅଞ୍ଚଳକୁ ମଧ୍ୟ କେତେକ ହାତୀ ପଶି ଆସି ଉତ୍ପାତ ମଚାଇ ବ୍ୟାପକ କ୍ଷୟକ୍ଷତି କରିଥିବା ଜଣାପଡିଛି । କେବଳ ସେତିକି ନୁହେଁ କାଂସବାହାଲ ଷ୍ଟୋସନ ଅଞ୍ଚଳକୁ ମଧ୍ୟ ଗତ ରାତ୍ରିରେ କେତୋଟି ହାତୀ ପଶି ଆସି ଉତ୍ପାତ ମଚାଇଥିଲେ ।

ହାତୀମାନଙ୍କର ଏହି ଉତ୍ପାତରେ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିବା ଜଣାପଡିଛି । ତେବେ ହାତୀମାନେ ନିକଟସ୍ଥ ଜଙ୍ଗଲରେ ଥିବାରୁ ବନବିଭାଗ କର୍ମଚାରୀମାନେ ହାତୀମାନଙ୍କ ଉପରେ କଡା ନଜର ରଖିଛନ୍ତି । ସେହିପରି ଝାଡ଼ଖଣ୍ଡରୁ ହାତୀପଲ ପୁଣି ଫେରିଛନ୍ତି ରାଉରକେଲା ଅଭିମୁଖେ । ବାଙ୍କି ଓ ବିଶ୍ରା ରେଞ୍ଜ୍ରେ ଉତ୍ପାତ କରିବା ସହ ଖାଦ୍ୟ ଅନ୍ୱେଷଣ ଚଳାଇଛନ୍ତି ଏହି ହାତୀ ପଲ । ଗତକାଲି ଏହି ହାତୀପଲ ରାଜଗାଙ୍ଗପୁର ଫରେଷ୍ଟ ରେଞ୍ଜ୍ର ସୋନାଖାନ ଅଞ୍ଚଳରେ ଉପଦ୍ରବ କରିବା ସହ ଜଣେ ଚାଷୀକୁ ଟେକି କଚାଡ଼ି ଦେବାରୁ ସେ ପ୍ରାଣ ହରାଇଥିଲେ ।

ମୃତକଙ୍କ ନାମ ଗୋବର୍ଦ୍ଧନ ଲାକ୍ରା ବୋଲି ଜଣାପଡ଼ିଛି । ସେହିପରି କୁଲୁଙ୍ଗା ଅଞ୍ଚଳ ଦେଇ ବିଳମ୍ବିତ ରାତିରେ ହାତୀପଲ ପୁରୁଣା ସମିଲ ଅଞ୍ଚଳକୁ ପ୍ରବେଶ କରିଥିଲେ । ହାତୀ ଆତଙ୍କ ଯୋଗୁ ଉକ୍ତ ଅଞ୍ଚଳରେ ପ୍ରବଳ ଜନଅସନ୍ତୋଷ ସହ ଲୋକେ ଆତଙ୍କିତ ରହିଛନ୍ତି । ତେବେ ଆଜି ସନ୍ଧ୍ୟାରେ ରାଉରକେଲା ବନବିଭାଗ ପକ୍ଷରୁ ହାତୀ ପଲ ଘଉଡ଼ାଇବା କାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା ମିଳିଛି ।

By amfnews

Related Post