Sun. Oct 4th, 2026

କଲରାପତରିଆ କବଳରୁ ମାଲିକାଣୀଙ୍କୁ ରକ୍ଷା କଲା କୁକୁର

242 Views

ଦାର୍ଜିଲିଙ୍ଗ୍‌: ବୁଧବାର ଦିନ ଗୋଟାଏ ଚାରି ବର୍ଷର କୁକୁର ତା’ର ୫୮ ବର୍ଷୀୟ ମାଲିକାଣୀଙ୍କୁ ଗୋଟାଏ କଲରାପତରିଆ କବଳରୁ ରକ୍ଷା କରିଛି।

କିଛି ଶବ୍ଦ ଶୁଣିବା ପରେ ସୋନାଦାର ଅରୁଣା ଲାମା ତାଙ୍କ ଭଣ୍ଡାରଘରର କବାଟ ଖୋଲି ଦେବାରୁ ଦେଖିଲେ ଅନ୍ଧାର ମଧ୍ୟରେ ଦାଉ ଦାଉ କରୁଛି ହଳେ ଲାଲ୍‌ ଆଖି। ଛାନିଆରେ ସେ କବାଟ ଆଉଜାଇବାକୁ ଚେଷ୍ଟା କରିବା ବେଳେ ଆଖି ହଳକ ତାଙ୍କ ଉପରକୁ କୁଦା ମାରିଲେ। ପ୍ରକୃତରେ ଆଖି ନୁହେଁ, କୁଦା ମାରିଥିଲା ଗୋଟାଏ କଲରାପତରିଆ, ଏବଂ ତା’ର ପଞ୍ଝା ଗଳି ଯାଇଥିଲା ଅରୁଣା ଲାମାଙ୍କ ଦେହରେ।

ଅରୁଣାଙ୍କ ଝିଅ ସ୍ମୃତି କହନ୍ତି: ମାଆ ଓ ମୁଁ ନୟା ଗାଓଁସ୍ଥିତ ଆମ ଘରେ ଚା ପିଇବା ବେଳେ ରୋଷେଇଘର ତଳେ ଥିବା ଭଣ୍ଡାରଘରୁ କିଛି ଶବ୍ଦ ଆସୁଥିବା ଶୁଣିଲୁ। ସେ ଘରେ ଆମେ ଜୀବନ୍ତ କୁକୁଡ଼ା ରଖୁଥିବାରୁ ଘଟଣା କ’ଣ ଯାଞ୍ଚ କରିବାକୁ ଚାହିଁଲୁ। ମାଆ କବାଟ ଖୋଲି ଦେଇ କିଛି କ୍ଷଣ କାଠ ପାଲଟିଗଲା। ଏତିକିବେଳେ କଳାଜନ୍ତୁଟାଏ ତାଙ୍କ ଉପରକୁ କୁଦି ପଡ଼ିଲା।

କଲରାପତରିଆ କବଳରୁ ବଞ୍ଚିବାକୁ ଅରୁଣା ଆପ୍ରାଣ ଚେଷ୍ଟା କଲେ ବି ପାରୁ ନ ଥାଆନ୍ତି। ଏତିକି ବେଳେ ବଡ଼ ପାଟିରେ ଭୁକି ଦୁହିଁଙ୍କ ମଝିକୁ ଚାଲିଗଲା ପୋଷା କୁକୁର ’ଟାଇଗର୍‌’। ଝୁଣି ପକାଇଲା କଲରାପତରିଆକୁ। ସେ ଖସି ପଳାଇଲା। କଲରାପତରିଆ ଥାବା ଚୋଟରେ ଅରୁଣାଙ୍କ ମୁଣ୍ଡ ଓ କାନ ଖଣ୍ଡିଆଖାବରା ହୋଇଛି। ସେ ସିଲିଗୁଡ଼ି ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ଏବଂ ତାଙ୍କ ଦେହରେ ୨୦ଟି ଷ୍ଟିଚ୍‌ ପଡ଼ିଛି।

By amfnews

Related Post