Sat. Apr 25th, 2026

କର୍ମୀଙ୍କୁ ନେତାଙ୍କ ଚାପୁଡ଼ା ଘଟଣାକୁ ନେଇ ବଢୁଛି ରହସ୍ୟ ! ସାଂସଦ ମାରି ନାହାନ୍ତି, ତାଗିଦ କରିଛନ୍ତି ବୋଲି କହିଲେ କର୍ମୀ

279 Views

ଭୁବନେଶ୍ୱର/ପାରଳାଖେମୁଣ୍ଡି/ବ୍ରହ୍ମପୁର: ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଚାପୁଡା ମାରିବା ଘଟଣାକୁ ଖଣ୍ଡନ କରିଛନ୍ତି କର୍ମୀ ସଂଗ୍ରାମ ସାହୁ । ସେ କହିଛନ୍ତି ସାଂସଦ ତାଙ୍କୁ ଚାପୁଡା ମାରି ନାହାନ୍ତି । ବରଂ ସାଂସଦ ତାଙ୍କୁ ଭାଇ ଭଳି ଦେଖନ୍ତି । ତାଙ୍କ ସହ ସେ ୨୦ ବର୍ଷ ହେଲା କାମ କରି ଆସୁଛନ୍ତି । ବିଜେଡିରେ ଯୋଗ ଦେବାକୁ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକକୁ ଯାଇଥିଲେ । ତେବେ ବୈଠକରେ ପର୍ଯ୍ୟବେକ୍ଷକ ନୁହେଁ ସାଂସଦଙ୍କ ଠାରୁ ଉତ୍ତରୀୟ ନେବାକୁ ଚାହୁଁଥିଲେ ବୋଲି କହିଛନ୍ତି ସଂଗ୍ରାମ ସାହୁ । ସଂଗ୍ରାମ କହିଛନ୍ତି , ସେ ଚାହୁଁଥିଲେ କି ସେ ସାଂସଦଙ୍କଠାରୁ ଉତ୍ତରୀୟ ଗ୍ରହଣ କରିବାକୁ କିନ୍ତୁ ସାଂସଦ ମୋତେ ଚାପୁଡା ମାରି ନାହାଁନ୍ତି ବରଂ ବିଧାୟକଙ୍କଠାରୁ ଉତ୍ତରୀୟ ନେବାକୁ ଇଙ୍ଗିତ କରିଥିବା ସଫେଇ ରଖିଛନ୍ତି ।

ଏହାକୁ ନେଇ ସାଂସଦ ଚନ୍ଦ୍ରଶେଖର ସାହୁ କହିଛନ୍ତି ଯେ ଦୀର୍ଘ ୨୦ ବର୍ଷ ହେଲା ସେ ସଂଗ୍ରାମଙ୍କୁ ଜାଣିଛନ୍ତି | ସଂଗ୍ରାମ ସୋରଡ଼ା ବିଧାୟକ ପୂର୍ଣଚନ୍ଦ୍ର ସ୍ୱାଇଁଙ୍କୁ ଅପମାନିତ କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ତାଗିଦ କରାଯାଇଛି | ଏହି ଘଟଣାକୁ ନେଇ ବିଜେଡି ନେତା ସଞ୍ଜୟ ଦାସବର୍ମା କହିଛନ୍ତି ଯେ ଏ ବାବଦରେ ତାଙ୍କ ପାଖରେ ସଠିକ ଖବର ନାହିଁ | ତେବେ ଯାହା ବି ହେବ ବିଜେଡି ସୁପ୍ରିମୋ ନିଷ୍ପତ୍ତି ନେବେ | ଏହା ସହ ସଞ୍ଜୟ କହିଛନ୍ତି ଯେ ନେତାଙ୍କ ଆଚରଣରେ ଓ ଉଚ୍ଚାରଣରେ ଶାଳୀନତା ରହିବା ଉଚିତ | ଏଠାରେ ସୂଚନା ଥାଉ କି ଗତକାଲି ଗଜପତି ଜିଲ୍ଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଘଟିଥିବା ଏକ ଘଟଣାର ଭିଡିଓ ଭାଇରାଲ ହୋଇଛି।

ଏହି ଭିଡିଓରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଜନୈକ ଯୁବକର୍ମୀଙ୍କୁ ମଞ୍ଚ ଉପରେ ଚାପୁଡ଼ା ପକାଉଥିବାର ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ମଙ୍ଗଳବାର ଜିଲ୍ଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ପୂର୍ବତନ ଜିଲ୍ଲା ଯୁବକଂଗ୍ରେସ ସଭାପତି ସଂଗ୍ରାମ ସାହୁ। ଦଳରେ ଯୋଗ ଦେଇଥିବା କର୍ମୀଙ୍କୁ ଉତ୍ତରୀୟ ପକାଇ ସ୍ବାଗତ କରୁଥିଲେ ସୋରଡା ବିଧାୟକ ତଥା ଗଜପତି ଜିଲ୍ଲା ପର୍ଯ୍ୟବେକ୍ଷକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ। ସଂଗ୍ରାମ ସାହୁଙ୍କୁ ବିଧାୟକ ସ୍ବାଇଁ ଉତ୍ତରୀୟ ପକାଉଥିବା ବେଳେ ସେ ତାହାକୁ ତାଙ୍କ ହାତରୁ ଭିଡ଼ି ଆଣି ସାଂସଦଙ୍କୁ ପକାଇବା ଲାଗି ବଢ଼ାଇଥିଲେ। ଏଭଳି ଅସୌଜନ୍ୟ ଆଚରଣରେ ଉତକ୍ଷିପ୍ତ ହୋଇ ସାଂସଦ ଚନ୍ଦ୍ରଶେଖର ସାହୁ ସଂଗ୍ରାମ ସାହୁଙ୍କୁ ଚାପୁଡ଼ାଟିଏ ପକାଇଥିଲେ। ଏହାପରେ ପୂର୍ବଭଳି ସୋରଡା ବିଧାୟକ ତାଙ୍କୁ ଦଳୀୟ ଉତ୍ତରୀୟ ପକାଇ ସ୍ବାଗତ କରିଥିଲେ।

By amfnews

Related Post