Tue. Jul 28th, 2026

କରୋନା ସତର୍କତା; ଯାଜପୁରରେ ୧୪୪, ଭଦ୍ରକରେ ଛୁଟି ବାତିଲ, ବ୍ରହ୍ମପୁରରେ ମଲ୍ ବନ୍ଦ

173 Views

ଯାଜପୁର/ଭଦ୍ରକ/ବ୍ରହ୍ମପୁର/ସମ୍ବଲପୁର : ‘କରୋନା’ ସତର୍କତା ପାଇଁ ସମଗ୍ର ଯାଜପୁର ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି। ଜନସମାଗମକୁ ବନ୍ଦ କରିବାକୁ ଏଭଳି ପଦକ୍ଷେପ ନିଆଯାଇଥିବା ବେଳେ ମାର୍ଚ୍ଚ ୨୧ରେ ଦଶାଶ୍ୱମେଧ ଘାଟରେ ବୈତରଣୀ ନଦୀରେ ହେବାକୁ ଥିବା ବାରୁଣୀ ସ୍ନାନ ଓ ବରାହନାଥ ପୀଠରେ ହେବାକୁ ଥିବା ବାରୁଣୀ ଯାତ୍ରାକୁ ଜିଲ୍ଲା ପ୍ରଶାସନ ବାତିଲ କରି ଦେଇଛି। ପ୍ରତିବର୍ଷ ଚୈତ୍ର ମାସରେ ବାରୁଣୀ ସ୍ନାନ ଯୋଗ ପଡ଼ିଥାଏ। ଏଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଯୋଗ ଦେବା ସହ ବୈତରଣୀରେ ବୁଡ଼ ପକାଇଥା’ନ୍ତି। ସେହିପରି ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏନେଇ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି।କରୋନା ପାଇଁ ଭଦ୍ରକ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ ହୋଇଛି।  ଏନେଇ ଟ୍ୱିଟ୍‌ କରି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

 

ଭୁବନେଶ୍ୱର ଓ କଟକ ଭଳି ସମ୍ବଲପୁର ଓ ବ୍ରହ୍ମପୁରରେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ମଲ୍‌ ଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।  ବ୍ରହ୍ମପୁରର ସହରର ସବୁ ମଲ୍, ଶୋ’ ରୁମ୍‌ ବନ୍ଦ ରଖିବାକୁ ଜିଲ୍ଲାପାଳ ଅମୃତ କୁଲାଙ୍ଗେ ଆଜି ନିର୍ଦ୍ଦେଶ ଦେଇଛନ୍ତି।  ସମ୍ୱଲପୁରରେ ସହରରେ ମଧ୍ୟ ସପିଙ୍ଗ ମଲ୍, ଶୋ ରୁମ୍ ବନ୍ଦ କରିବାକୁ ସେଠାକାର ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ  ୩୧ ପର୍ଯ୍ୟନ୍ତ ମଲ୍‌ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜନସମାଗମକୁ ବନ୍ଦ କରିବାକୁ ଗତକାଲିଠୁ ଗଞ୍ଜାମ ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି। ଏହା ସହିତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।

ପୁରୀ ଜିଲ୍ଲା କାକଟପୁର ମଙ୍ଗଳା ମନ୍ଦିରରେ ମଧ୍ୟ କଟକଣା ଜାରି କରାଯାଇଛି। ଶ୍ରଦ୍ଧାଳୁଙ୍କୁ ଗର୍ଭଗୃହକୁ ନ ଛାଡ଼ିବାକୁ ସେବାୟତଙ୍କୁ କୁହାଯାଇଛି। ମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି।

By amfnews

Related Post