Tue. Jul 28th, 2026

କରୋନାଭାଇରସ୍‌ ମୁକାବିଲା ପ୍ରସଙ୍ଗରେ ଆଜି ଦେଶବାସୀଙ୍କୁ ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ ମୋଦୀ

239 Views

ନୂଆଦିଲ୍ଲୀ: ଆଜି ରାତି ୮ଟା ବେଳେ ପ୍ରଧାନମନ୍ତ୍ରୀ ମୋଦୀ କରୋନାଭାଇରସ୍‌ଜନିତ ସମସ୍ୟା ଏବଂ ତାହାର ମୁକାବିଲା ଲାଗି ଉଦ୍ୟମ ବିଷୟରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବେ। ବୁଧବାର ଦିନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟ୍‌ କରି ଏହା ଘୋଷଣା କରିଛି।

ଅନ୍ୟ ଏକ ଟୁଇଟ୍‌ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି ଯେ ‘କୋଭିଡ୍‌-୧୯’ ବା କରୋନାଭାଇରସ୍‌ ନିୟନ୍ତ୍ରଣ କରିବାକୁ ଚାଲିଥିବା ଉଦ୍ୟମର ସମୀକ୍ଷା କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ବୁଧବାର ଦିନ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ।

‘କୋଭିଡ୍‌-୧୯’ ବିପତ୍ତି ବିରୋଧରେ ଲଢ଼ିବାକୁ ଉପାୟ କରିବା ନିମନ୍ତେ ବ୍ୟକ୍ତିବିଶେଷ, ଆଞ୍ଚଳିକ ସମ୍ପ୍ରଦାୟ ଏବଂ ସଙ୍ଗଠନମାନଙ୍କ ସହ ସକ୍ରିୟ ଭାବେ ଆଲୋଚନା କରିବା ଉପରେ ଏହି ବୈଠକରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଏଭଳି ସ୍ଥିତିର ପରବର୍ତ୍ତୀ ପଦକ୍ଷେପ ସଂକ୍ରାନ୍ତରେ ଉପାୟ କରିବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ସରକାରୀ ଅଧିକାରୀ ଏବଂ ବୈଷୟିକ ବିଶେଷଜ୍ଞମାନଙ୍କୁ ନିର୍ଦେଶ ଦେଇଛନ୍ତି।

ଏହି ମାରାତ୍ମକ ରୋଗ ବିରୋଧରେ ଲଢ଼ିବାକୁ ଅଗ୍ରସର ହୋଇ କାମ କରୁଥିବା ରାଜ୍ୟସରକାର, ଡାକ୍ତରୀ କର୍ମଚାରୀ, ସଶସ୍ତ୍ରବାହିନୀର ଯବାନ, ବିମାନ ଚଳାଚଳ ବିଭାଗ, ପୌରକର୍ମଚାରୀ ଏବଂ ଅନ୍ୟାନ୍ୟ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଧନ୍ୟବାଦ ଜ୍ଞାପନ କରିଛନ୍ତି।

By amfnews

Related Post