Fri. Oct 16th, 2026

କରୋନାଭାଇରସ୍ ଦ୍ବାରା ସଂକ୍ରମିତ ୪ କର୍ମଚାରୀ

363 Views

ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦଙ୍କ କାର୍ଯ୍ୟାଳୟର ଚାରିଜଣ କର୍ମଚାରୀ କୋଭିଡ୍-୧୯ ଦ୍ବାରା ସଂକ୍ରମିତ ‌ହୋଇଥିବା କଥା ପରୀକ୍ଷାରୁ ଜଣାପଡ଼ିଛି। ସଂକ୍ରମିତଙ୍କ ମଧ୍ୟରେ ଜଣେ ସୁରକ୍ଷା ଅଧିକାରୀ ଏବଂ ଜଣେ ଷ୍ଟାଫ୍‌ ନର୍ସ ଥିବା କଥା ଆନ୍ଧ୍ରର ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ମୁଖ୍ୟ ସଚିବ କେ. ଏସ୍. ଜବାହର ରେଡ୍ଡୀ ରବିବାର ସନ୍ଧ୍ୟାରେ କହିଛନ୍ତି।

ଚିକିତ୍ସା ନିମନ୍ତେ ତାଙ୍କୁ ବିଜୟୱାଡ଼ାର ଏକ ଡାକ୍ତରଖାନାକୁ ‌ସ୍ଥାନାନ୍ତର କରାଯାଇଛି। କିନ୍ତୁ, ରାଜ୍ୟପାଳଙ୍କ କାର୍ଯ୍ୟାଳୟ ତରଫରୁ ଏ ସଂକ୍ରାନ୍ତରେ ଆନୁଷ୍ଠାନିକ ବିବୃତି ପ୍ରକାଶ ପାଇ ନାହିଁ। କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଥିବା ଏହି କର୍ମଚାରୀମାନଙ୍କର କୌଣସି ଭ୍ରମଣ ଇତିହାସ ନ ଥିବାରୁ ସେମାନେ କେମିତି ସଂକ୍ରମିତ ତାହା ସ୍ବାସ୍ଥ୍ୟ ଅଧିକାରୀମାନଙ୍କୁ ଆଚମ୍ବିତ କରିପକାଇଛି।

କର୍ମଚାରୀ ସଂକ୍ରମିତ ‌ହୋଇଥିବା ଘଟଣା ଜଣାପଡ଼ିବା ପରେ ରାଜ୍ୟପାଳଙ୍କ ସରକାରୀ ବାସଭବନ, ରାଜଭବନରେ ବିଶୋଧନ ଅଭିଯାନ ଆରମ୍ଭ ହୋଇଛି। ରାଜଭବନ ପରିସରରେ ସୋଡିୟମ୍ ହାଇଡ୍ରୋକ୍ଲୋରାଇଟ୍ ସିଞ୍ଚନ ନିମନ୍ତେ ପୌର କର୍ତ୍ତୃପକ୍ଷ ଡ୍ରୋନ୍ ମୁତୟନ କରିଛନ୍ତି।

By amfnews

Related Post