Sat. May 18th, 2024

ଓସିଏଲ୍ ଇଣ୍ଡିଆ ପାଇଁ ଇଞ୍ଚେ ଜମି ଦିଆଯିବ ନାହିଁ – ଜର୍ଜ ତିର୍କୀ

By amfnews Aug 5, 2018 #Featured
125 Views

ରାଉରକେଲା, ୫ା୮  : ରାଜଗାଙ୍ଗପୁର ସ୍ଥିତ ଓସିଏଲେ ଇଣ୍ଡିଆ ଲିମିଟେଡକୁ ଇଞ୍ଚେ ଜମି ଦିଆଯିବ ନାହିଁ ବୋଲି ସେକ୍ଟର-୪ ସ୍ଥିତ ପାନ୍ଥନିବାସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବୀରମିତ୍ରପୁର ବିଧାୟକ ତଥା ଆଦିବାସୀ ନେତା ଜର୍ଜ ତିର୍କୀ କହିଛନ୍ତି ।
ଶ୍ରୀ ତିର୍କୀ କହିଛନ୍ତି ଯେ, ଚଳିତ ମାସ ୮ ତାରିଖରେ ଓସିଏଲ୍ ଖଣି ସମ୍ପ୍ରସାରଣ ପାଇଁ ଜନଶୁଣାଣି ପାଇଁ ଗର୍ଭଣା ପଞ୍ଚାୟତ ସ୍ଥିତ ଜାମପାଲି ଷ୍ଟାଡିୟମରେ ହେବାକୁ ଥିବା ସ୍ଥିରୀକୃତ ହୋଇଛି । ଏହି ଜନଶୁଣାଣି କାର୍ଯ୍ୟକ୍ରମ କାହା ସ୍ୱାର୍ଥରେ? କୁତ୍ରା ତହସିଲ ଓ ରାଜଗାଙ୍ଗପୁର ତହସିଲର ୫ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅଲଣ୍ଡା,ବିହାବନ୍ଧ, ଝଗରପୁର, କେଶ୍ରାମାଲ, ରାଇବେର୍ଣ୍ଣା, କଟଙ୍ଗ, ଧଉରାଅଡା, ଲାଞ୍ଜିବେର୍ଣ୍ଣ ଓ କକୁଡା ରାଜସ୍ୱ ଗ୍ରାମର ୮୭୩.୦୫୬ ହେକ୍ଟର (୨୨୦୮ ଏକର) ପରିମିତ ଜମି ଅଧିଗ୍ରହଣ ପାଇଁ ପରିବେଶୀୟ ମଞ୍ଜୁରୀ ନିମନ୍ତେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡିଶାଙ୍କ ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ ସୁନ୍ଦରଗଡ ଜିଲାପାଳଙ୍କ ଠାରୁ ସବୁଜ ସଙ୍କେତ ମଧ୍ୟ ମିଳିସାରିଛି ।

ଏହି ଜନଶୁଣାଣି କାର୍ଯ୍ୟକ୍ରମ ଉକ୍ତ ପ୍ରଭାବିତ ଗ୍ରାମ ପଞ୍ଚାୟତ କିମ୍ବା ରାଜସ୍ୱ ଗ୍ରାମରେ ନ କରି ଗର୍ଭଣା ଗ୍ରାମପଞ୍ଚାୟତର ଜାମପାଲି ଠାରେ କାହା ସ୍ୱାର୍ଥରେ କରାଯିବାକୁ ସ୍ଥିର ହୋଇଛି? ଦ୍ୱିତୀୟତଃ ଜାତୀୟ ଆଦିବାସୀ କମିଶନରଙ୍କ ପତ୍ର ସଂଖ୍ୟା ୦୩/୨୦୧୮କୁ ଆଧାର କରି ରାଜ୍ୟପାଳ ତାଙ୍କ ପତ୍ର ସଂଖ୍ୟା ୧୯୧/ଜି.ଓ. ତା-୨୧.୦୬.୨୦୧୮ରେ ମୁଖ୍ୟ ଶାସନ ସଚିବ ଓଡିଶାଙ୍କୁ ସ୍ପଷ୍ଟ ଭାବରେ ଦର୍ଶାଇଛନ୍ତି ଯେ, ସମ୍ବିଧାନର ଧାରା ୨୪୪ (୧) ବା ପଞ୍ଚମ ଅନୁସୂଚୀ ଅଞ୍ଚଳରେ କୌଣସି ପ୍ରକଳ୍ପ ହେବା ପୂର୍ବରୁ ଗ୍ରାମସଭା ହେବା କଥା । କିନ୍ତୁ ଓସିଏଲ୍ ଇଣ୍ଡିଆ କ୍ଷେତ୍ରରେ ପ୍ରଭାବିତ ୫ଟି ଗ୍ରାମ ପଞ୍ଚାୟତରେ ଏଯାବତ୍ କୌଣସି ଗ୍ରାମସଭା କରାଯାଇ ନାହିଁ । ଯେତେବେଳେ ରାଜ୍ୟପାଳ ପଞ୍ଚମ ଅନୁସୂଚୀ ଅଞ୍ଚଳର ଆଦିବାସୀ ଜିଲାମାନଙ୍କର ହର୍ତ୍ତାକର୍ତ୍ତା ଦୈବବିଧାତା ତେବେ ରାଜ୍ୟ ସରକାର ଏବଂ ଜିଲାପାଳ କେଉଁ ନ୍ୟାୟରେ ରାଜ୍ୟପାଳଙ୍କ ଆଦେଶକୁ ବେଖାତିର କରି ଜନଶୁଣାଣି ପାଇଁ ଅନୁମତି ଦେଲେ? ଏହା ଜିଲାପାଳଙ୍କ ଦାଦାଗିରି ନୁହେଁ କି? ତୃତୀୟତଃ ରାଜସ୍ୱ ଏବଂ ବିପର୍ଯ୍ୟ ପରିଚାଳନା ବିଭାଗର ନିର୍ଗତ ପତ୍ର ସଂଖ୍ୟା ଏ.ଜି. ୪୦/୨୦୦୫-୪୯୭୭୭, ତା-୨୬.୧୧.୨୦୦୮ ଅନୁଯାୟୀ କୌଣସି ପ୍ରକଳ୍ପ ପାଇଁ ଯଦି ଜମି ଅଧିଗ୍ରହଣ କରାଯାଏ ତେବେ ରେଗୁଲେସନ (୨) ୧୯୫୬ ଅନୁସାରେ ୨ ଏକର ଜଳ ସେଚିତ ଜମି ଏବଂ ୫ ଏକର ଅଣଜଳସେଚିତ ଜମିରୁ କୌଣସି ଆଦିବାସୀଙ୍କୁ ବଞ୍ôଚତ କରାଯାଇପାରିବ ନାହିଁ । ଏହି ପରିପ୍ରେକ୍ଷୀରେ ଆମେ ସୂଚାଇ ଦେବାକୁ ଚାହୁଁ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଏଥିପାଇଁ ପ୍ରଭାବିତ ଅଞ୍ଚଳରେ କୌଣସି ସର୍ଭେ କାମ ନ ହୋଇ ସିଧାସଳଖ ଭାବେ ଲୋକ ଲୋଚନକୁ ବିଭ୍ରାନ୍ତ କରି ଜନଶୁଣାଣି କାର୍ଯ୍ୟକ୍ରମ କରାଯିବା କେତେଦୂର ସମୀଚିନ ତାହା ବିଚାର ସାପେକ୍ଷ ।

ବିଗତ ଦିନରେ ଓସିଏଲ୍ ଇଣ୍ଡିଆ ଠାରୁ ଅଞ୍ଚଳବାସୀ ଠକାମୀର ଶିକାର ହୋଇଛନ୍ତି ଏବଂ ବର୍ତ୍ତମାନ ମଧ୍ୟ ଆକାଶ କଇଁଆ ଚିଲିକା ମାଛ ସଦୃଶ ଲୋକଙ୍କୁ ବୋକା ବନେଇବା ପାଇଁ ଅପଚେଷ୍ଟା କରାଯାଉଛି । ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ, ଯାବତୀୟ ସାମ୍ବିଧାନିକ ବ୍ୟବସ୍ଥା ଓ ନୀତି ନିୟମ ଥାଇ ସୁଦ୍ଧା ଏବଂ ଆପତ୍ତି କଲେ ମଧ୍ୟ ଜିଲାପାଳ କର୍ଣ୍ଣପାତ ନ କରିବା ଉଦ୍ଦେଶ୍ୟ କ’ଣ? ସେ କ’ଣ ସମ୍ବିଧାନ ଏବଂ ନୀତି ନିୟମଠାରୁ ଊଦ୍ଧ୍ୱର୍ରେ କି? ଏହା ଆଦିବାସୀଙ୍କ ପ୍ରତି ଏକ କ୍ରୁର ଉପହାସ । ୫ଟି ଗ୍ରାମ ପଞ୍ଚାୟତର ନିର୍ବାଚିତ ସଦସ୍ୟମାନେ ଗତ ଅପ୍ରେଲ ମାସ ୧୬ ତାରିଖରେ ସୁନ୍ଦରଗଡ ଉପଜିଲାପାଳଙ୍କ ଦ୍ୱାରା ଆହୂତ ବୈଠକରେ ଓସିଏଲ୍ର ଏହି ପ୍ରକଳ୍ପ ଉଦ୍ଦେଶ୍ୟରେ ଜମି ଦେବା ପାଇଁ ସ୍ପଷ୍ଟ ଭାବେ ମନା କରିବା ସତ୍ତେ୍ୱ ଜୋର ଜବରଦସ୍ତ ଜନଶୁଣାଣି କରିବାର ରହସ୍ୟ କ’ଣ? ଲୁଚିଛି ନା ଗୋଡ ଦି’ଟା ଦିଶୁଚି ନ୍ୟାୟରେ ଆଦିବାସୀ ଜିଲାର ଜିଲାପାଳ ଆଦିବାସୀଙ୍କୁ ହଇରାଣ କରିବା ପାଇଁ କମ୍ପାନୀ ନିର୍ଦ୍ଦେଶରେ କାର୍ଯ୍ୟ କରୁନାହାନ୍ତି ତ? ଏ ଅଧିକାର ତାଙ୍କୁ ଦେଲା କିଏ? ଏ ବାବଦରେ ରାଜ୍ୟପାଳଙ୍କୁ ମଧ୍ୟ ଏକ ପ୍ରତିନିଧି ମଣ୍ଡଳୀ ସାକ୍ଷାତ କରିବା ସହ ଗତ ଜୁଲାଇ ମାସ ୨୬ ତାରିଖ ଦିନ ଏକ ଦାବିପତ୍ର ଦେଇଥିଲେ । ଏ ପ୍ରକାରର ଅସାମ୍ବିଧାନିକ କାର୍ଯ୍ୟକ୍ରମରୁ ଜିଲାପାଳ ନିବୃତ୍ତ ରହିବା ପାଇଁ ନିବେଦନ କରାଯାଇଥିଲା ।

ପୁଣି ଆମେ ସୂଚାଇ ଦେବାକୁ ଚାହୁଁ ଯେ, ଓସିଏଲ୍ କର୍ତ୍ତବ୍ୟ ବିମୂଢ ହୋଇ ବର୍ତ୍ତମାନ ଅଭିନବ ପ୍ରଚାର ଚଳାଇଛି ଯେ, ଏହି ଜନଶୁଣାଣି କାର୍ଯ୍ୟକ୍ରମ ଜମି ଦେବା ପାଇଁ ନୁହେଁ ବରଂ ଲାଞ୍ଜିବେର୍ଣ୍ଣା ଖଣିର ସମ୍ପ୍ରସାରଣ ପାଇଁ ପ୍ରଦୂଷଣଜନିତ ଜନଶୁଣାଣି, ଯାହାକୁ ଆମେ ସଠିକ୍ ଭାବେ ବୁଝି ସାରିଛୁ । ଆମେ ଦୃଢ ଭାବେ କହିବାକୁ ଚାହୁଁ ଯେ, ଓସିଏଲ୍ ପାଇଁ ଆଉ କେହି ଇଞ୍ଚେ ମଧ୍ୟ ଜମି ଦେବେ ନାହିଁ । ଆଶା କରାଯାଉଛି ଏହାର ପୂର୍ଣ୍ଣଛେଦ ପଡିବ ନଚେତ୍ ଏହା ବିରୁଦ୍ଧରେ ଦୁର୍ବାର ଆନ୍ଦୋଳନ କରାଯିବ ।

ଏହି ସମ୍ବାଦିକ ସମ୍ମିଳନୀରେ ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ, ପୂର୍ବତନ ବିଧାୟକ ହାଲୁ ମୁଣ୍ଡାରୀ, ସିପ୍ରିଆନ କିଡୋ, ଅନୀଲ ଏକ୍କା, ଲେଥା ତିର୍କୀ, ଲିଟୁ ମିଞ୍ଜ, ସୁଶୀଲ ଲାକଡା, ହାରାନ ବାଗେ, ଦିଲୀପ ଲୋହାର ପ୍ରମୁଖ ଉପସ୍ଥିତ ଥିଲେ ।

By amfnews

Related Post