Fri. Jun 12th, 2026

ଏସ୍‌ସିବି ନ୍ୟୁରୋସର୍ଜରି ବିଭାଗରେ ଅଭାବନୀୟ ଦୃଶ୍ୟ : ନର୍ଦ୍ଦମା ପାଣି ପାଇଁ ଅସ୍ତ୍ରୋପଚାର ବନ୍ଦ

153 Views

କଟକ : କଟକ ବଡଡାକ୍ତରଖାନା ନ୍ୟୁରୋସର୍ଜରି ବିଭାଗରେ ଆଜି ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ। ବିନା ବର୍ଷାରେ ବି ମଳ ମିଶା ନର୍ଦ୍ଦମା ପା‌ଣି ୱାର୍ଡ, ଆଇସିୟୁ ଓ ଓଟି ଭିତରକୁ ପଶି ଯାଇଥିଲା। ପ୍ରବଳ ଦୁର୍ଗନ୍ଧରେ ‌ଅଞ୍ଚଳରେ ରହିବା ଅସମ୍ଭବ ହୋଇ ପଡିଥିଲା। ଓଟି ଓ ଆଇସିୟୁରେ ପଶିଥିବା ପାଣିକୁ ସଫା କରାଯିବା ପରେ ଷ୍ଟେରିଲାଇଜ୍‌ କରାଯାଇଥିଲା। ଏଭଳି ସ୍ଥିତ‌ିରେ ଅସ୍ତ୍ରୋପଚାର ବନ୍ଦ ରହିଥିଲା।

କିନ୍ତୁ ଏଭଳି ଅବ୍ୟବସ୍ଥା କେବଳ ଆଜିର ନୁହେଁ, ନ୍ୟୁରୋସର୍ଜରି ବିଭାଗରେ ବାରମ୍ବାର ଘଟୁଛି। କିନ୍ତୁ ଏହାର ସ୍ଥାୟୀ ସମାଧାନ କରାଯାଉନି। ନ୍ୟୁରୋସର୍ଜରି ବିଭାଗ ତଳ ମହଲାରେ ଥିବା ବେଳେ ସେଠାରେ ଓଟି, ଆଇସିୟୁ ଇତ୍ୟାଦି ରହିଛି। ‌ୱାର୍ଡରେ ସ୍ଥାନାଭାବ ସମସ୍ୟା ଯୋଗୁଁ ବାରଣ୍ଡାରେ ଶୋଇ ରୋଗୀ ଚିକିତ୍ସିତ ହେଉଛନ୍ତି। ଗୁରୁତର ରୋଗୀ ଓ ଅସ୍ତ୍ରୋପଚାର ଆବଶ୍ୟକ କରୁଥିବା ରୋଗୀଙ୍କ ସଂଖ୍ୟା ଏହି ବିଭାଗରେ ଅଧିକ ଥିବାରୁ ରୋଗୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅସ୍ତ୍ରୋପଚାର ପାଇଁ ତାରିଖ ଦେଇ ଘରକୁ ପଠାଇ ଦିଆଯାଏ। ତାରିଖ ଅନୁସାରେ ରୋଗୀ ଆସିଥାନ୍ତି ଅସ୍ତ୍ରୋପଚାର ପାଇଁ। କିନ୍ତୁ ପାଇଖାନା ଜାମ୍‌, ପାଣି ନିଷ୍କାସନ ସମସ୍ୟା ଓ ପାଇପ୍‌ ଫାଟିଯିବା ଯୋଗୁଁ ଆଜି ସକାଳେ ନର୍ଦ୍ଦମା ପାଣି ୱାର୍ଡ, ଓଟି ଓ ଆଇସିୟୁରେ ପଶିଥିଲା।ଏଭଳି ଅବ୍ୟବସ୍ଥା ସଂପର୍କରେ ଖବରପାଇ ପିଏଚ୍‌ଡି ବିଭାଗ ପହଞ୍ଚି ସଫେଇ କର୍ମଚାରୀଙ୍କ ସହାୟତାରେ ଜମି ରହିଥିବା ଆବର୍ଜନାକୁ ସଫେଇ କରିଥିଲେ। ଏପଟେ ଏଭଳି ସ୍ଥିତିର ସ୍ଥାୟୀ ସମାଧାନ ପାଇଁ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ସୁଧାଂଶୁ ମିଶ୍ର ପିଏଚ୍‌ଡି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ।

By amfnews

Related Post