Fri. Jun 12th, 2026

ଏବେ ଜଙ୍ଗଲକୁ ଯିବନି ‘ସୁନ୍ଦରୀ’

243 Views

ଭୁବନେଶ୍ବର : ମଧ୍ୟପ୍ରଦେଶ ବାନ୍ଧବଗଡ଼ରୁ ଆସିଥିବା ବାଘୁଣୀ ‘ସୁନ୍ଦରୀ’କୁ ଏବେ ଜଙ୍ଗଲକୁ ଛଡ଼ାଯିବ ନାହିଁ। ଏନ୍‌କ୍ଲୋଜ୍‌ରେ ରହି ସେ ଶିକାର ଭୁଲିଯାଇଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ସୁନ୍ଦରୀ କିଭଳି ଶିକାର କରିବା ପ୍ରବୃତ୍ତି ଫେରିପାଇବ ସେନେଇ ଆଜି ପ୍ରକୃତି ଭବନରେ ଏକ ବୈଠକରେ ଆଲୋଚନା କରାଯାଇଛି।

ସଂପ୍ରତି ସାତକୋଶିଆ ଏନ୍‌କ୍ଲୋଜରରୁ ‘ସୁନ୍ଦରୀ’କୁ ମହାନଦୀ ଓ୍ୱାଇଲ୍‌ଡ ଲାଇଫ୍‌ ଡିଭିଜନକୁ ସ୍ଥାନାନ୍ତର କରିବା ନେଇ ବିଚାର କରାଯାଉଛି। ବର୍ତମାନ ଏନ୍‌କ୍ଲୋଜର ଅଢ଼େଇ ହେକ୍ଟର ଥିବା ବେଳେ ନୂଆ ଏନ୍‌କ୍ଲୋଜରକୁ ୨୫ ହେକ୍ଟର କରିବା ଲାଗି ବୈଠକରେ ନିଷ୍ପତ୍ତି ହୋଇଛି। ଏନେଇ ଏନ୍‌ଟିସିଏ ଓ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ବିଶେଷଜ୍ଞ ଓଡ଼ିଶା ଆସିବୋ ବୋଲି ଜଣାପଡ଼ିଛି। ଆଜିର ବୈଠକରେ ଚିଫ୍‌ ଓ୍ୱାଇଲ୍ଡ ଲାଇଫ୍ ଓ୍ୱାର୍ଡେନ୍,ଏନ୍‌ଟିସିଏ ସଦସ୍ୟ ସଚିବ ଓ ସାତକୋଶିଆ ବନବିଭାଗ ଅଧିକାରୀ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ ବାଘ ବଂଶ ବିସ୍ତାର ପାଇଁ ମଧ୍ୟପ୍ରଦେଶର ବାନ୍ଧବଗଡ଼ ଅଭୟାରଣ୍ୟରୁ ‘ସୁନ୍ଦରୀ’କୁ ଅଣାଯାଇଥିଲା। ମାତ୍ର ‘ସୁନ୍ଦରୀ’ ସାତକୋଶିଆ ଆସିବା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ। ବାସ୍ତବରେ ସୁନ୍ଦରୀ ଅଭୟାରଣ୍ୟର କୋର୍ ଅଞ୍ଚଳକୁ ନଯାଇ ଅଭୟାରଣ୍ୟ ପାଖାପାଖି ଅଞ୍ଚଳରେ ଘୂରି ବୁଲୁଥିଲା। ଏହାକୁ ନେଇ ଅଭୟାରଣ୍ୟ ପାଖରେ ଥିବା ଗାଁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ‘ସୁନ୍ଦରୀ’କୁ ସ୍ଥାନାନ୍ତର ନିମନ୍ତେ ଗାଁ ଲୋକେ ଦାବି କରିଥିଲେ। ଶେଷରେ ରାଜ୍ୟ ସରକାର ବାଘୁଣୀକୁ କାବୁ କରିବାକୁ ଚେଷ୍ଟା କରି ବିଫଳ ହେଲେ। ଟ୍ରାଙ୍କୁଲାଇଜ୍‌ ଟିମ୍‌କୁ ଚକ୍‌ମା ଦେଇ ସେ ଘଞ୍ଚ ଜଙ୍ଗଲ ଭିତରକୁ ଚାଲିଯାଇଥିଲା। ବାରମ୍ୱାର ବିଫଳ ହେବାରୁ ବନ ବିଭାଗ ଚନ୍ଦକାରୁ ‘ଯଶୋଦା’ ହାତୀକୁ ନେଇ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍‌ କରିଥିଲେ। ସେବେଠୁ ସୁନ୍ଦରୀ ଏନ୍‌କ୍ଲୋଜରରେ ରହିଛି।

By amfnews

Related Post