Thu. May 14th, 2026

ଏପ୍ରିଲ ୧୭ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ରାଜ୍ୟବ୍ୟାପୀ ନିରାଡ଼ମ୍ବର ଭାବେ ପାଳନ କରାଯିବ

244 Views

ଭୁବନେଶ୍ବର: ପ୍ରବାଦ ପୁରୁଷ ବିଶିଷ୍ଟ ଜନନାୟକ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ବାର୍ଷିକୀକୁ ଏପ୍ରିଲ ୧୭ରେ ରାଜ୍ୟବ୍ୟାପୀ ନିରାଡ଼ମ୍ବର ଭାବେ ପାଳନ କରାଯିବ। ସମଗ୍ର ମାନବ ସମାଜ କରୋନା ଭଳି ମହାମାରୀକୁ ମୁକାବିଲା କରୁଛି, ଏହାକୁ ଦୃଷ୍ଟିରେ ରଖି ପ୍ରବାଦ ପୁରୁଷଙ୍କ ଶ୍ରାଦ୍ଧ ଦିବସକୁ ନିରାଡମ୍ବର ଭାବେ ପାଳନ କରିବା ପାଇଁ ବିଜେଡି ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ସାମାଜିକ ଦୂରତା ରକ୍ଷା କରି ବିଜୁ ଜନତା ଦଳର ଅଗଣିତ କର୍ମୀ ଓ ଦଳର ନେତୃବୃନ୍ଦ ନିଜ ନିଜ ଘରେ ବିଜୁ ବାବୁଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟ ପ୍ରଦାନ କରିବାକୁ କୁହାଯାଇଛି। ଏଥି ସହ ପ୍ରବାଦ ପୁରୁଷଙ୍କ ଦେଶ ତଥା ଓଡ଼ିଆ ଜାତି ପ୍ରତି ଥିବା ତ୍ୟାଗପୁତ ଜୀବନୀ ସମ୍ପର୍କରେ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବେ।

ଦୀର୍ଘଦିନ ଧରି ଦଳ ପକ୍ଷରୁ କରାଯାଉଥିବା ସାମାଜିକ କାର୍ଯ୍ୟକ୍ରମ ଜୀବନ ବିନ୍ଦୁ (ରକ୍ତ ସଂଗ୍ରହ ) କାର୍ଯ୍ୟ ଜାରି ରଖିବେ। ଜଣେ ବି ବ୍ୟକ୍ତି ଯେପରି ରକ୍ତ ଅଭାବରୁ ସ୍ଵାସ୍ଥ୍ୟଗତ ସମସ୍ୟାରେ ନ ପଡନ୍ତି, ସେଥି ପ୍ରତି ଦୃଷ୍ଟି ଦେବାକୁ ବିଜେଡ଼ି ସଭାପତି ଦଳର ପ୍ରତିଟି କର୍ମୀ,ନେତା ଏବଂ ଶୁଭେଚ୍ଛୁଙ୍କୁ ନିବେଦନ କରିଛନ୍ତି। ସଭାପତିଙ୍କର ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ସଫଳତାର ସହ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଜାରି ରହିଥିବାରୁ,ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।। ଏଭଳି ଏକ କଠିନ ସମୟରେ ରକ୍ତଦାନ କରୁଥିବା ବ୍ୟକ୍ତି ବିଶେଷଙ୍କୁ ସେମାନଙ୍କ ଦେଶସେବା ଓ ଉସର୍ଗ୍ରୀକୃତ ମନୋଭାବକୁ ସବୁଦିନ ମନେ ରଖିବି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତ ପ୍ରକାଶ କରିଛନ୍ତି।

ବିଜୁ ଜନତା ଦଳର ଅଗଣିତ କର୍ମୀ, ଶୁଭେଚ୍ଛୁ, ନେତୃ ମଣ୍ଡଳୀ, ଛାମୁଆ ସଙ୍ଗଠନର କର୍ମକର୍ତ୍ତାମାନଙ୍କୁ ନିବେଦନ କରାଯାଉଛି କୌଣସି ପରିସ୍ଥିତିରେ ପଦାକୁ ନ ବାହାରି ଘର ଭିତରେ ପ୍ରବାଦ ପୁରୁଷଙ୍କ ପ୍ରତି ନିଜର ଶ୍ରଦ୍ଧା ନିବେଦନ କରିବାକୁ ବିଜୁ ଜନତା ଦଳ ରାଜ୍ୟ ସଭାପତି  ପରାମର୍ଶ ଦେଇଥିବା, ଆଜି ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ତଥା ବିଜେଡ଼ି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଛନ୍ତି।

By amfnews

Related Post