Fri. May 15th, 2026

ଏଣିକି ରାଜ୍ୟର ସବୁ ଜିଲ୍ଲାରେ କାର୍ଯ୍ୟକାରୀ ହେବ ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା

210 Views

ଭୁବନେଶ୍ବର : ଦେଶରେ କନ୍ୟା ଶିଶୁ ସନ୍ତାନ ହାର ବୃଦ୍ଧି କରିବାକୁ କେନ୍ଦ୍ର ସରକାର ପ୍ରଣୀତ କରିଥିବା ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା ଏଣିକି ରାଜ୍ୟର ସବୁ ଜିଲ୍ଲାରେ କାର୍ଯ୍ୟକାରୀ ହେବ। ଏ ନେଇ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। କେନ୍ଦ୍ର ସରକାର ୨୦୧୫ରେ ଏହି ଯୋଜନା ଆରମ୍ଭ କରିବା ପରେ ଓଡ଼ିଶାରେ କେବଳ ନୟାଗଡ଼ ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିଲା।

ମହିଳା ଓ ଶିଶୁ ବିକାଶ ବିଭାଗ ଯୁଗ୍ମ ଶାସନ ସଚିବ ଲେଖିଥିବା ଚିଠି ଅନୁଯାୟୀ, ଯୋଜନା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟର ୩୦ଟି ଜିଲ୍ଲାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। କନ୍ୟା ସନ୍ତାନଙ୍କ ଜନ୍ମଠାରୁ ଶିକ୍ଷା ଓ ସ୍ବାସ୍ଥ୍ୟର ବିକାଶ ପାଇଁ ମହିଳା ଶିଶୁ ବିକାଶ ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହଯୋଗରେ ଏସବୁ ଜିଲ୍ଲାରେ ବିଭିନ୍ନ କଲ୍ୟାଣମୂଳକ ଯୋଜନା କାର୍ଯ୍ୟକାରୀ କରାଯିବ। ଏଥିପାଇଁ ନୟାଗଡ଼, ଢେଙ୍କାନାଳ, ଅନୁଗୁଳ, ଗଞ୍ଜାମ, କଟକ, ଖୋର୍ଦ୍ଧା, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦ୍ରାପଡ଼ା, ଯାଜପୁର, ଝାରସୁଗୁଡ଼ା, ଭଦ୍ରକ, ବାଲେଶ୍ବର ଓ କଳାହାଣ୍ଡି ଜିଲ୍ଲାକୁ ଚିହ୍ନଟ କରାଯାଇଛି। ସେହିପରି ଜଗତସିଂହପୁର, ପୁରୀ, ସୁବର୍ଣ୍ଣପୁର, ବଲାଙ୍ଗୀର, ବରଗଡ଼, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, କେନ୍ଦୁଝର, ଗଜପତି, ବୌଦ୍ଧ, କୋରାପୁଟ, ନୂଆପଡ଼ା, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ସଚେତନତା କାର୍ଯ୍ୟକ୍ରମ କରି କନ୍ୟା ସନ୍ତାନ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି ପାଇଁ ପାଣ୍ଠି ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି। ଯୋଜନାର ଗାଇଡଲାଇନ୍ ଅନୁଯାୟୀ କେନ୍ଦ୍ର ମହିଳା ଶିଶୁ ବିକାଶ ମନ୍ତ୍ରଣାଳୟ ସିଧାସଳଖ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ପାଖକୁ ଅର୍ଥ ପଠାଇବେ। ଏଥିରେ କୌଣସି ହିତାଧିକାରୀଙ୍କୁ ଡିବିଟି ଜରିଆରେ ଅର୍ଥ ପ୍ରଦାନ କରିବାର ବ୍ୟବସ୍ଥା ନାହିଁ।

By amfnews

Related Post