Sat. Apr 25th, 2026

ଏଚ୍ଆଇଭି ଆକ୍ରାନ୍ତ ବୋଲି ମୃତଦେହ କେହି ଛୁଇଁଲେନି!

187 Views

ସମ୍ୱଲପୁର : ଏଚ୍ଆଇଭି ଆକ୍ରାନ୍ତ ବୋଲି ମୃତଦେହ କେହି ଛୁଇଁଲେନି।  ମେଡିକାଲ ବେଡ୍‌ରେ ୧୨ଘଣ୍ଟା ଧରି  ପଡ଼ି ରହିଲା ମୃତଦେହ। ଏହି ଅଭାବନୀୟ ଘଟଣା ଘଟିଛି ବୁର୍ଲା ବଡ଼ ଡାକ୍ତରଖାନାରେ।

ସୂଚନାଅନୁସାରେ, ବରଗଡ଼ ଜିଲ୍ଲା ସଦର ଥାନା ଅଂଚଳର ଜଣେ ୬୦ବର୍ଷୀୟ ବ୍ୟକ୍ତିଙ୍କ ଡାହାଣ ଆଖିରେ ଟ୍ୟୁମର ହୋଇଥିଲା।  ଅସ୍ତ୍ରୋପଚାର ପାଇଁ ସେ ଗତ ୨୩ ତାରିଖରେ ବୁର୍ଲା ବଡ଼ ଡାକ୍ତରଖାନା ଭର୍ତ୍ତି ହୋଇଥିଲେ। ତାଙ୍କ ସହ ଆସିଥିବା ବ୍ୟକ୍ତି ତାଙ୍କୁ ମେଡିକାଲରେ  ଛାଡ଼ି ପଳାଇଥିଲେ।  ପରେ ରକ୍ତ ପରୀକ୍ଷାରେ ସଂପୃକ୍ତ ବ୍ୟକ୍ତି ଏଚ୍ଆଇଭିରେ ଆକ୍ରନ୍ତ ବୋଲି ଜଣା ପଡ଼ିଥିଲା।

ସମ୍ପୃକ୍ତ ରୋଗୀଙ୍କ ଅବସ୍ଥା କ୍ରମଶଃ ଗୁରୁତର ହୋଇ ପଡ଼ିଥିବା ବେଳେ ଗତକାଲି ସକାଳ ୮.୫୦ ମିନିଟ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କର କେହି ସଂପର୍କୀୟ ଉପସ୍ଥିତ ନ ଥିବାରୁ ମେଡିକାଲ ବେଡ୍‌ରେ ମୃତଦେହ ଘଣ୍ଟାଘଣ୍ଟା ଧରି ପଡି ରହିଥିଲା। ଏନେଇ ମେଡିକାଲ ପକ୍ଷରୁ ପୁଲିସ୍‌କୁ ଖବର ଦେବା ପରେ ରାତିରେ ମୃତଦେହକୁ ଶବାଗାରକୁ ନିଆଯାଇଥିବା ସୂଚନା ମିଳିଛି। ଦୀର୍ଘ ୭୨ଘଣ୍ଟା ପର୍ଯ୍ୟନ୍ତ ମୃତଦେହକୁ ସଂରକ୍ଷିତ ରଖାଯିବ ବୋଲି ମେଡିକାଲ ଅଧିକ୍ଷକ କହିଛନ୍ତି। ଅନ୍ୟପକ୍ଷରେ ମୃତଦେହ ଦୀର୍ଘ ସମୟ ଧରି ମେଡିକାଲ ବେଡରେ ପଡି ରହିବା ଘଟଣାକୁ ନେଇ ବିଭିନ୍ନ ମହଲରୁ ପ୍ରଶ୍ନ ଉଠିଛି।

By amfnews

Related Post