Mon. May 20th, 2024

ଉପସାଗରୀୟ ଦେଶ ଗୁଡିକ ଉପରେ ନିର୍ଭରଶୀଳ ହୋଇଥିବା ବେଳେ ସେ ଦେଶ ଗୁଡିକର ଖାଦ୍ୟ ସୁରକ୍ଷା ପାଇଁ ଓଡିଶା ନେଇ ପାରିବ ଗୁରୁତ୍ୱପୂର୍ଣ ପଦକ୍ଷେପ

By amfnews May 31, 2018 #Featured
273 Views

ଭୁବନେଶ୍ୱର, ୩୧ ମଇ – ଓଡିଶାରେ ଖାଦ୍ୟ, ଖାଦ୍ୟ ପ୍ରକ୍ରିୟାକରଣ ଓ ସାମୁଦ୍ରିକ ଉତ୍ପାଦ ଶିଳ୍ପରେ ଓଡିଶାରେ ପୁଂଜି ନିବେଶ ପାଇଁ ଉପସାଗରୀୟ ରାଷ୍ଟ୍ର ସମୂହରେ ପୁଂଜି ନିବେଶକାରୀ ମାନଙ୍କ ସହ ସେ କଥା ହୋଇଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଜଣାଇଛନ୍ତି । ଏହି ମାମଲାରେ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ସହଯୋଗ ଓ ସହଭାଗିତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଅନୁରୋଧ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ କରୁଥିବା ଅଶୋଧିତ ତୈଳ ଆମଦାନୀର ୬୦ ଭାଗ ତୈଳ ଉପସାଗରୀୟ ରାଷ୍ଟ୍ର ସମୂହରୁ ଆସୁଛି । ଭାରତର ଶକ୍ତି ସୁରକ୍ଷା ଉପସାଗରୀୟ ରାଷ୍ଟ୍ର ଉପରେ ନିର୍ଭରଶୀଳ ହୋଇଥିବା ବେଳେ ଏହି ରାଷ୍ଟ୍ର ଗୁଡିକର ଖାଦ୍ୟ ସୁରକ୍ଷାରେ ଭାରତ ଏକ ଗୁରୁତ୍ୱପୂର୍ଣ ଭୂମିକା ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗ୍ରହ ପ୍ରକାଶ କରିଛନ୍ତି । ଚାଷୀର ଆୟକୁ ଦୁଇ ଗୁଣ କରିବା ପାଇଁ ଏହା ଗୁରୁତ୍ୱପୂର୍ଣ ଭୂମିକା ନେବ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଉପସାଗରୀୟ ରାଷ୍ଟ୍ର ବିଶେଷ ଭାବରେ ୟୁଏଇ ଭଳି ଦେଶ ଗୁଡିକୁ ଖାଦ୍ୟ, ପ୍ରକ୍ରିୟାକରଣ ପରେ ବିଭିନ୍ନ ଖାଦ୍ୟ, କୃଷି ଓ ସାମୁଦ୍ରିକ ଉତ୍ପାଦର ରପ୍ତାନୀକୁ ବହୁ ମାତ୍ରାରେ ବଢା ଯାଇ ପାରିବ । ୟୁଏଇରେ ୩.୩ ନିୟୁତ ଭାରତୀୟ ବସବାସ କରୁଥିବା ବେଳେ ଏହି ଦେଶର ଖାଦ୍ୟ ଆମଦାନୀର ମାତ୍ର ୧୮ ପ୍ରତିଶତ ଭାରତରୁ ଯାଉଛି । ଏପରିକି ଆମେରିକା, କାନାଡା ଓ ବ୍ରାଜିଲରୁ ଖାଦ୍ୟ ଆମଦାନୀ ଭାରତ ଠାରୁ ଯଥେଷ୍ଟ ଅଧିକ ରହିଛି ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ତାଙ୍କର ୟୁଏଇ ଗସ୍ତ କାଳରେ ଓଡିଶାର ରପ୍ତାନୀ କ୍ଷମତା ସହିତ ୟୁଏଇ ଓ ଉପସାଗରୀୟ ଦେଶ ଗୁଡିକର ଖାଦ୍ୟ ଆବଶ୍ୟକତା ସହିତ ଏକ ସଂଯୋଗ ସ୍ଥାପନା କରିବା ପାଇଁ ସେ ପ୍ରୟାସ କରିଛନ୍ତି । ତାଙ୍କର ୟୁଏଇ ଗସ୍ତ ପୂର୍ବରୁ ଓଡିଶାର ଶିଳ୍ପ ବିଭାଗ ପ୍ରମୁଖ ସଚିବ ତଥା ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରିଥିଲେ ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି । ଉପସାଗରୀୟ ଦେଶ ଗୁଡିକର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ପୁଂଜିନିବେଶକାରୀଙ୍କ ସାମନାରେ ଓଡିଶାର ଏହି କ୍ଷେତ୍ରରେ ଭିତିଭୂମି, କୃଷିଜାତ ଦ୍ରବ୍ୟ ତଥା ସାମୁଦ୍ରିକ ଉତ୍ପାଦ କ୍ଷେତ୍ରରେ ଥିବା ସୁବିଧା ସମ୍ପର୍କରେ ଅବଗତ କରାଇଥିବା ଶ୍ରୀ ପ୍ରଧାନ କହିଛନ୍ତି । ଏହି ବୈଠକରେ ବନ୍ଦର ନଗରୀ ପାରାଦୀପ ଉପସାଗରୀୟ ଦେଶ ମାନଙ୍କ ପାଇଁ ଏକ ଖାଦ୍ୟ ପ୍ରକ୍ରିୟାକରଣର ପେଣ୍ଠ କିପରି ହୋଇ ପାରିବ ସେ ସମ୍ବନ୍ଧରେ ଅବଗତ କରାଇ ଥିବା ଶ୍ରୀ ପ୍ରଧାନ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାର ବିବିଧ କୃଷି ଜଳବାୟୁ ଥିବା ଅଂଚଳ, ବିସ୍ତିର୍ଣ ଜଂଗଲ, ଜଳ ଉପଲବ୍ଧତା , ଦକ୍ଷତା ସମ୍ପନ୍ନ ମାନବ ସମ୍ବଳ ସହିତ ଓଡିଶାର ଅନେକ ନିଜସ୍ୱ ଖାଦ୍ୟ ଉପସାଗରୀୟ ଦେଶରେ ଆଦୃତ ହେବାର ସମ୍ଭାବନା ରହିଛି । ଏହି ପୁଂଜିନିବେଶକାରୀ ମାନଙ୍କର ବୈଠକରେ ସଫଲର ଅଧିକାରୀ ଓଡିଶାର ଉପଲବ୍ଧ ଖାଦ୍ୟ ଚେନ ଓ ପ୍ରକ୍ରିୟାକରଣ ସୁବିଧା ଉପରେ ଆଲୋକପାତ କରିଥିଲେ । ଓଡିଶା ବିଶେଷ ଭାବରେ ମୟୁରଭଂଜର ପତ୍ରଖିଆ ଛେଳିକୁ ନ୍ୟୁଜିଲାଣ୍ଡର ପ୍ରସିଦ୍ଧ ମେଣ୍ଢା ଢାଂଚାରେ ତଥା ପଶ୍ଚିମ ଓଡିଶାର ସୁଭାଷିତ ଚାଉଳ, ଚିଲିକାର ସାମୁଦ୍ରିକ ଉତ୍ପାଦ, ଆମ୍ବ, ସୁଭାଷିତ ପୁଷ୍ପ, କନ୍ଧମାଳର ହଳଦି, କୋରାପୁଟର ଅଦା, ଆଦିର ଉପସାଗରୀୟ ରାଷ୍ଟ୍ରର ଆମଦାନୀ ଉପରେ ଗୁରୁତ୍ୱ ଆରୋପ କରିଥିଲେ ବୋଲି ସେ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି । ୟୁଏଇରେ ଅନୁଷ୍ଠିତ ଏହି ପୁଂଜି ନିବେଶକାରୀ ବୈଠକକୁ ଭାରତୀୟ ଦୂତାବାସ ତରଫରୁ ଆୟୋଜିତ କରା ଯାଇଥିବା ବେଳେ ପ୍ରମୁଖ ବ୍ୟବସାୟିକ ଗୋଷ୍ଠୀ ଯଥା ଏମଆର, ଲୁଲୁ, ଅଲମାୟା, ଏକେଏମ ଓ ଏନଏମସି ପ୍ରମୁଖ ଅଂଶଗ୍ରହଣ କରିବା ସହ ସେମାନଙ୍କର ବରିଷ୍ଠ ଅଧିକାରୀ ମାନଙ୍କୁ ଓଡିଶା ପଠାଇବା ପାଇଁ ସହମତ ହେବା ସହ ରାଜ୍ୟରେ ପୁଂଜି ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏହି ମାମଲାରେ ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ଓ ସହଯୋଗର ହାତ ବଢାଇବା ପାଇଁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

By amfnews

Related Post