Wed. Aug 12th, 2026

ଉଦଘାଟନ ହେଲା ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା।

282 Views

ଏବେ ଜିଲ୍ଲାରେ ଖାଦ୍ୟର ଅଭାବ ରହିବ ନାହିଁ:ଜିଲ୍ଲାପାଳ
ମାଲକାନଗିରି ଜିଲ୍ଲା ସଂସ୍କୃତି ଭବନ ଠାରେ  ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ ଲାଗୁ ହେଲା ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା । ସଚିବାଳୟରୁ ଏହି ଯୋଜନାକୁ ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବା ପରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ମୁଖ୍ୟ ଅତିଥି ଭାବେ ଇଲକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି ଓ କ୍ରୀଡା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଯୋଗ ଦେଇ ଏହାର ଶୁଭାରମ୍ଭ କରିଛନ୍ତି ।
ଆଉ ଏହି ଖାଦ୍ୟ ସୁରକ୍ଷା ଯୋଜନା ସମସ୍ତଙ୍କର ଅଧିକାର। ତେଣୁ ଏଥିରୁ ଲୋକଙ୍କୁ କେହି ବଞ୍ଚିତ କରିପାରିବେ ନାହିଁ ଏବଂ ଏହି ଯୋଜନା ମାଧ୍ୟମରେ ଗରିବ ଲୋକଙ୍କୁ ଚାଉଳ ମିଳିବା ସହ ଲୋକଙ୍କ ଟଙ୍କା ଲୋକଙ୍କ ପାଇଁ ଖର୍ଚ୍ଚ ହେବ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନରୁ ବଞ୍ଚିତ ହୋଇଥିବା ହିତାଧିକାରୀଙ୍କ ପାଇଁ ଏହି ଯୋଜନାରେ ବ୍ୟବସ୍ଥା ହୋଇଛି । ୨୦୧୪ରେ ନିଜସ୍ୱ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା ।
ରାଜ୍ୟର ଜଣେ ବି ଲୋକ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ନ ହୁଅନ୍ତୁ, ତେଣୁ ଏହାକୁ ଗୁରୁତ୍ଵ ଦେଇ ନିଜସ୍ୱ ଟଙ୍କାରେ ଓଡିଶା ସରକାର ଏହି ଯୋଜନା କାର୍ଯ୍ୟକାରୀ କରିଥିବା ମନ୍ତ୍ରୀ କହିଛନ୍ତି ।
ଏହା ସହ ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲ ଆଜିର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। କେନ୍ଦ୍ରର ନୂଆ ଖାଦ୍ୟ ସୁରକ୍ଷା ଆଇନ ରାଜ୍ୟରେ ଲାଗୁ ହେବା ପରେ ଜିଲ୍ଲାର ୩୮୧୬୧ ଲୋକଙ୍କ ମଧ୍ୟରୁ ୨୫୧୭୪ ଜଣ ହିତାଧିକାରୀଙ୍କୁ ଚାଉଳ ମିଳିଥିଲା, କିନ୍ତୁ ଏହା ଏବେ ସମସ୍ତଙ୍କ ପାଇଁ ଲାଗୁ ହେବ ଏବଂ ଜିଲ୍ଲାରେ କେହି ଭୋକରେ ରହିବେ ନାହିଁ ବୋଲି ମାଲକାନଗିରି ଜିଲ୍ଲାପାଳ କହିଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ ମାଲକାନଗିରି ବିଧାୟକ ମାନସ ମାଡକାମି, ଚିତ୍ରକୋଣ୍ଡା ବିଧାୟକ ଡମ୍ବୁରୁ ଶିସା, ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲ, ପିଡି ଡିଆରଡିଏ ଲିଙ୍ଗରାଜ ପଣ୍ଡା, ଯୋଗାଣ ଅଧିକାରୀ ଅଭିମନ୍ୟୁ ମହାନ୍ତିଙ୍କ ସହ ଜିଲ୍ଲାର ଅନେକ ଜନତା ଉପସ୍ଥିତ ଥିଲେ ।

By amfnews

Related Post