Sun. Apr 26th, 2026

ଆସୁଛନ୍ତି ମା’: ଚଳଚଞ୍ଚଳ ସିଲଭର ସିଟି

255 Views

କଟକ : ଆଉ ମାତ୍ର ଦିନ କେଇଟା ପରେ ଶାରଦୀୟ ଦୁର୍ଗା ପୂଜା । ମା’ଙ୍କ ପୂଜା ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ସିଲଭର ସିଟି କଟକ। ବିଭିନ୍ନ ପୂଜା ମଣ୍ଡପରେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ତାରକସି ଚାନ୍ଦି ଓ ସୁନା ମେଢ ପାଇଁ ପ୍ରସିଦ୍ଧି ଲାଭ କରିଥିବା କଟକର ବିଭିନ୍ନ ପୂଜା ମଣ୍ଡପରେ ଆରମ୍ଭ ହୋଇଛି ମା’ଙ୍କର ଚାନ୍ଦି ଗହଣା ସଫେଇ କାର୍ଯ୍ୟ।

ଦଶହରା ପାଇଁ ବିଶ୍ୱ ଦରବାରରେ କଟକ ସହରର ରହିଛି ଏକ ସ୍ୱତନ୍ତ୍ର ସ୍ଥାନ। ସହରର ବହୁ ପୂଜା ମଣ୍ଡପର ଆକର୍ଷଣୀୟ ସୁନା ଓ ଚାନ୍ଦି ମେଢ ଦେଖିବା ପାଇଁ କଟକକୁ ଛୁଟିଥାନ୍ତି ଅନେକ ଶ୍ରଦ୍ଧାଳୁ । ଚଳିତ ବର୍ଷ ପୂଜାକୁ ଆଉ ମାତ୍ର କେଇଟା ଦିନ ବାକି ଥିବାରୁ  ବିଭିନ୍ନ ପୂଜା ମଣ୍ଡପରେ ଏଥିପାଇଁ ଜୋରସୋରରେ ଚାଲିଛି ଅଳଙ୍କାର ଏବଂ ମେଢ ସଫେଇ କାମ । ମା’ଙ୍କର ମୁକୁଟ, ସିଂହାସନ, ଚାନ୍ଦି ଗୋଲେଇ, ପଦ୍ମଫୁଲ, ହାର, କିରୀଟି, ବାହୁଟି ସହ ମେଢର ହାତୀ, ମୟୁର ଓ ଝାଲର ଭଳି ଜିନିଷ ସଫା କରାଯାଉଛି।

ସହରର ମାନସିଂପାଟଣା, ଶେଖ ବଜାର ଅଂଚଳର କାରିଗର ମାନେ ମୁଖ୍ୟତ ଏହି କାମ କରୁଥିବାବେଳେ ପାଖାପାଖି ୪ରୁ ୫ କ୍ୱିଣ୍ଟାଲ ଓଜନର ଗହଣା ଓ ଅଳଙ୍କାର ସଫେଇ ପାଇଁ ସେମାନଙ୍କୁ ପ୍ରାୟ ୧୫ ଦିନ ସମୟ ଲାଗିଥାଏ। ଚାନ୍ଦି ଓ ସୁନା ଅଳଙ୍କାରର ସଫେଇ କାଯର୍ୟ ଭିନ୍ନ ହୋଇଥିବାବେଳେ ଏଥିପାଇଁ କାରିଗର ବି ଭିନ୍ନ ରହିଛନ୍ତି। ତେବେ ଗହଣା ଆଦି ସଫା କରାଯିବା ସହ ଭାଙ୍ଗିଯାଇଥିବା ଅଳଙ୍କାରକୁ ଝଳେଇ ମଧ୍ୟ କରାଯାଏ। ସହରରେ ଚଳିତବର୍ଷ ଗଙ୍ଗାମନ୍ଦିର, ଛତ୍ରବଜାର ଏବଂ ବିଡାନାସୀ ପୂଜା କମିଟି ନୂତନ ଚାନ୍ଦିମେଢ କରୁଥିବାବେଳେ କଟକ ସହରରେ ମୋଟ୍ ଚାନ୍ଦି ମେଢ ସଂଖ୍ୟା ୨୭ରେ ପହଞ୍ଚିବ।

By amfnews

Related Post