Fri. Apr 24th, 2026

ଆରବିଆଇ, ସରକାରୀ ବ୍ୟାଙ୍କ, ଏଲଆଇସି କର୍ମଚାରୀଙ୍କ ଦରମାରୁ ପିଏମ୍ କେୟାର୍ସ ପାଣ୍ଠିକୁ ଆସିଛି ୨୦୦କୋଟି ଟଙ୍କା

423 Views

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଅତି କମରେ ସାତୋଟି ସରକାରୀ କ୍ଷେତ୍ର ବ୍ୟାଙ୍କ ଏବଂ ସାତୋଟି ପ୍ରମୁଖ ଆର୍ଥିକ ପ୍ରତିଷ୍ଠାନରୁ ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଗଠିତ ହୋଇଥିବା ପିଏମ୍ କେୟାର୍ସ ପାଣ୍ଠିକୁ ୨୦୦କୋଟିରୁ ଅଧିକ ଟଙ୍କା ଆସିଛି। ଏ ନେଇ ଏକ ରିପୋର୍ଟରେ ଦର୍ଶାଯାଇଛି।

କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନଗୁଡିକ ସହିତ, ଏହି ଅନୁଷ୍ଠାନଗୁଡିକର କର୍ମଚାରୀଙ୍କ ବେତନରୁ ୨୦୪.୭୫ କୋଟି ଟଙ୍କା ବର୍ତ୍ତମାନ ପର୍ଯ୍ୟନ୍ତ ପିଏମ୍ କେୟାର୍ସ ପାଣ୍ଠିକୁ ଆସିଥିବା ନେଇ ଆରଟିଆଇ ରେକର୍ଡ ଉପରେ ଆଧାରିତ ଇଣ୍ଡିଆନ୍ ଏକ୍ସପ୍ରେସ ଏକ ରିପୋର୍ଟରେ ଦର୍ଶାଯାଇଛି।

ରିପୋର୍ଟ ଅନୁଯାୟୀ, ସେମାନଙ୍କ କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍ଆର୍) ଆବଣ୍ଟନ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ବ୍ୟତୀତ ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏଲଆଇସି), ଜେନେରାଲ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଜିଆଇସି) ଏବଂ ନ୍ୟାସନାଲ ହାଉସିଂ ବ୍ୟାଙ୍କ ୧୪୪.୫ କୋଟିରୁ ଅଧିକ ଟଙ୍କା ଯୋଗଦାନ କରିଛନ୍ତି।

କେବଳ ଏଲଆଇସି ପିଏମ୍ କେୟାର୍ସ ପାଣ୍ଠିକୁ ୧୧୩.୬୩ କୋଟି ଟଙ୍କା ଦେଇଛି | ଏଥିରେ କର୍ମଚାରୀଙ୍କ ଦରମାରୁ ୮.୬୪ କୋଟି, “କର୍ପୋରେଟ କମ୍ୟୁନିକେସନ୍” ଅଧୀନରେ ୧୦୦କୋଟି ଏବଂ “ଗୋଲଡେନ୍ ଜୁବୁଲି ଫାଉଣ୍ଡେସନ୍” ଅଧୀନରେ ୫କୋଟି ଟଙ୍କା ଅନ୍ତର୍ଭୁକ୍ତ ହୋଇଛି।

ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କଗୁଡିକ ୧୦୭.୯୫କୋଟି ଟଙ୍କା ଦାନ କରିଥିବା ବେଳେ ଏସବିଆଇ ଏହି ତାଲିକାରେ ଶୀର୍ଷରେ ରହିଛି। ଆରଟିଆଇ ପ୍ରଶ୍ନର ଉତ୍ତର ରଖି ଏସବିଆଇ କହିଛି ଯେ, ଏହାର ସମ୍ପୂର୍ଣ୍ଣ ଅବଦାନ କର୍ମଚାରୀଙ୍କ ବେତନରୁ ଆସିଛି। ସେପଟେ ଆରବିଆଇ କହିଛି ଯେ ଏହାର ୭.୩୪କୋଟି ଟଙ୍କା କର୍ମଚାରୀମା‌ନେ ଦାନ କରିଛନ୍ତି।

By amfnews

Related Post