Thu. Jul 2nd, 2026

ଆମ ଇସ୍ତାହାରର ପ୍ରଥମ ସ୍ଥାନରେ ଅଛନ୍ତି ଚାଷୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

349 Views

ଭୁବନେଶ୍ୱର:  ନବରଙ୍ଗପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ନିର୍ବାଚନୀ ପ୍ରଚାର କରିଛନ୍ତି । ନବରଙ୍ଗପୁର ରାଇଘରରେ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି ନବୀନ ।  ନିଜର ଅଭିଭାଷଣରେ  ମୁଖ୍ୟମନ୍ତ୍ରୀ କହିଛନ୍ତି  ବିଜେଡି ଇସ୍ତାହାରରେ ପ୍ରଥମ ସ୍ଥାନରେ  ଚାଷୀ ଅଛନ୍ତି ।  ଚାଷୀଙ୍କୁ ନେଇ ରାଜ୍ୟ ସରକାର ସଚେତନ ଅଛନ୍ତି ।  କାଳିଆ ଯୋଜନାରୁ ଜଣେ ବି ଚାଷୀ ବଂଚିତ ହେବେ ନାହିଁ ବୋଲି କହିଛନ୍ତି ନବୀନ ।

ଏହା ସହ କେନ୍ଦ୍ର ସରକାରଙ୍କୁ ବି ଟାର୍ଗେଟ କରିଛନ୍ତି ନବୀନ ପଟ୍ଟନାୟକ । ସେ କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟ ସମୟରେ କେନ୍ଦ୍ରୀୟ ନେତାମାନଙ୍କର ଦେଖା ନ ଥାଏ। ଗତ ପାଞ୍ଚ ବର୍ଷ ମଧ୍ୟରେ କୌଣସି ବଡ଼ କେନ୍ଦ୍ରୀୟ ନେତା ଓଡ଼ିଶାକୁ ଆସି ନାହାନ୍ତି। ବନ୍ୟା, ବାତ୍ୟା ସମୟରେ ଦେଖା ଦେଲେନି ଏବେ ନିର୍ବାଚନ ଆସିବାରୁ ସେମାନେ ଭୋଟ୍‌ ମାଗିବାକୁ ଆସିଛନ୍ତି। ମୁଁ ସବୁବେଳେ ଓଡ଼ିଶାବାସୀଙ୍କ ସହ ରହିଥାଏ। ଅନୁସୂଚିତ ଜାତି ଓ ଜନଜାତିଙ୍କ ଅନୁଦାନ କେନ୍ଦ୍ର ସରକାର କାଟିଛନ୍ତି ବୋଲି ଉମରକୋଟ ନିର୍ବାଚନ ମଣ୍ଡଳୀର ରାଇଘର ଷ୍ଟାଡିୟମ୍‌ରେ ଆୟୋଜିତ ଏହି ଜନସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏଥି ସହ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇ ନବୀନ କହିଛନ୍ତି ଓଡ଼ିଶାକୁ କେନ୍ଦ୍ର ସବୁ ସମୟରେ ଅବହେଳା କରି ଆସୁଛି। ଚାଷୀ ବୀମା ବ୍ୟବସ୍ଥାରେ ଚାଷୀମାନଙ୍କୁ ହଇରାଣ କରାଯାଇଛି। କୁଆଡ଼େ ଗଲା ଦୁଇଗଣା ଏମ୍‌ଏସ୍‌ପି? କୁଆଡ଼େ ଗଲା ନବରଙ୍ଗପୁର ପାଇଁ ରେଳ ଲାଇନ୍‌?

ଶେଷ ନିଶ୍ୱାସ ଥିବା ଯାଏଁ ଓଡ଼ିଶା ଲାଗି କାମ କରିବି ବୋଲି କହି ଶଙ୍ଖ ଚିହ୍ନରେ ଭୋଟ୍‌ ଦେବା ନିମନ୍ତେ ଲୋକମାନଙ୍କୁ ମୁଖ୍ୟମନ୍ତ୍ରୀ ଭୋଟ ଦେବାକୁ ନିବେଦନ କରିଛନ୍ତି।

By amfnews

Related Post