Thu. Sep 3rd, 2026
265 Views

ଭୁବନେଶ୍ବର : ‘ମୋ ସ୍କୁଲ’ ଯୋଜନା ସଂକ୍ରାନ୍ତରେ ଆମେରିକାରେ ରହୁଥିବା ଓଡ଼ିଆଙ୍କୁ ଅବଗତ ସହିତ ସେମାନଙ୍କଠାରୁ ସାହାଯ୍ୟ ପାଇବା ପାଇଁ ଆରମ୍ଭ ସରକାରୀ ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ ‘ମୋ ସ୍କୁଲ’ ଯୋଜନାର ଅଧ୍ୟକ୍ଷା ସୁସ୍ମିତା ବାଗ୍‍ଚୀ ଆସନ୍ତା ୧୫ ତାରିଖରେ କାଲିଫର୍ଣ୍ଣିଆର ମିଲିପିଟାସଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି। ଏ ନେଇ ଭାରତୀୟ କନସଲ ଜେନେରାଲଙ୍କ କାର୍ଯ୍ୟାଳୟରୁ କାଲିଫର୍ଣ୍ଣିଆରେ ରହୁଥିବା ଓଡ଼ିଆମାନଙ୍କ ନିକଟକୁ ନିମନ୍ତ୍ରଣ ପତ୍ର ପଠାଯାଇଛି।

କାର୍ଯ୍ୟକ୍ରମର ସୂଚନା ଅନୁଯାୟୀ, ୧୫ ତାରିଖ ଦିନ ଅପରାହ୍ନ ୪ଟାରେ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବାବେଳେ ଅତିଥିମାନଙ୍କୁ ‘ମୋ ସ୍କୁଲ’ ଯୋଜନା ଉପରେ କ୍ଷୁଦ୍ର ଚଳଚ୍ଚିତ୍ର ଦେଖାଯିବ। ଏହାପରେ ଯୋଜନାର ଅଧ୍ୟକ୍ଷା ଶ୍ରୀମତୀ ବାଗ୍‍ଚୀ ଉପସ୍ଥିତ ବ୍ୟକ୍ତିଙ୍କୁ ଯୋଜନା ସଂକ୍ରାନ୍ତରେ ଅବଗତ କରାଇବେ ଓ ସେମାନଙ୍କ ପ୍ରଶ୍ନର ଉତ୍ତର ଦେବେ। ଇଣ୍ଡୋ-ଆମେରିକା ସେବକ ଫାଉଣ୍ଡେସନ ସହିତ ମଧ୍ୟ ଏ ସଂକ୍ରାନ୍ତରେ ଏକ ରାଜିନାମା ସ୍ବାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି। କାଲିଫର୍ଣ୍ଣିଆରେ ଥିବା ଓଡ଼ିଆମାନେ ଯେଭଳି ‘ମୋ ସ୍କୁଲ’ ଯୋଜନାକୁ ଆର୍ଥିକ ସହାୟତା ଯୋଗାଇଦେବେ, ସେ ସଂକ୍ରାନ୍ତରେ ସେମାନଙ୍କୁ ଅବଗତ କରାଯିବ।

ଉଲ୍ଲେଖ ଥାଉ କି, ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀଙ୍କ ସହଯୋଗରେ ବିଦ୍ୟାଳୟର ବିକାଶ ପାଇଁ ‘ମୋ ସ୍କୁଲ’ ଯୋଜନା ଆରମ୍ଭ କରିଛନ୍ତି। ପୂର୍ବତନ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯେତିକି ଟଙ୍କା ସହାୟତା ଦେବେ ସରକାର ତାହାର ଦୁଇଗୁଣ ଅର୍ଥ ଯୋଗାଇଦେବେ। ଯୋଜନା ଆରମ୍ଭ ହେବାପରେ ଇତି ମଧ୍ୟରେ ‘ମୋ ସ୍କୁଲ’ ପାଣ୍ଠି ୧୦୦ କୋଟି ଟଙ୍କା ଟପିଯାଇଛି। ପ୍ରାୟ ଦେଢ଼ ଲକ୍ଷ ପୂର୍ବତନ ଛାତ୍ରଛାତ୍ରୀ ସହାୟତା ବାବଦରେ ୩୩ କୋଟି ୬୦ଲକ୍ଷରୁ ଅଧିକ ଟଙ୍କା ଯୋଗାଇ ଦେଇଛନ୍ତି। ଏବେ ବିଦେଶରୁ ସହାୟତା ମିଳିଲେ ‘ମୋ ସ୍କୁଲ’ ଯୋଜନା ପାଣ୍ଠି ବୃଦ୍ଧି ପାଇବ ବୋଲି କର୍ତ୍ତୃପକ୍ଷ ଆଶା ରଖିଛନ୍ତି।

By amfnews

Related Post