Wed. Aug 19th, 2026

ଆଜି ବଳଦ ଶିକାର କଲା ବାଘୁଣୀ ‘ସୁନ୍ଦରୀ’

305 Views

ଅନୁଗୁଳ: ସୋମବାର ସକାଳୁ ସାତକୋଶିଆ ନିକଟ ଜଙ୍ଗଲିଆ ଗାଁ ବାଘମୁଣ୍ଡାରେ ବାଘୁଣୀ ‘ସୁନ୍ଦରୀ’ ଗୋଟାଏ ବଳଦ ଶିକାର କରିଛି।

ବଳଦଟି ଗାଁ ପାଖ ଜଙ୍ଗଲିଆ ଅଞ୍ଚଳରେ ଚରାବୁଲା କରୁଥିଲା। ତାହା ଦେଖି ବାଘୁଣୀ ‘ସୁନ୍ଦରୀ’ ତାକୁ ମାରି ପକାଇଥିଲା। ପୁଣି କିଛି ସମୟ ପରେ ଉକ୍ତ ବଳଦର ମଢ଼କୁ ଟାଣି ନେଇ ଜଙ୍ଗଲ ମଧ୍ୟକୁ ପଳାଇଛି। ସମ୍ପୃକ୍ତ ସ୍ଥାନରେ ବଳଦର ରକ୍ତ ପଡ଼ିଥିବା ସ୍ଥାନୀୟ ଲୋକେ କହୁଛନ୍ତି।

ଘଟଣା ସାଧାରଣରେ ପ୍ରଘଟ ହେବା ପରେ ପରେ ବାଘମୁଣ୍ଡା ଗ୍ରାମାଞ୍ଚଳରେ ପ୍ରବଳ ଜନ ଅସନ୍ତୋଷ ଦେଖା ଦେଇଛି। ବାଘୁଣୀକୁ ଟ୍ରାଙ୍କ୍ୟୁଲାଇଜ୍‌ କରିବାକୁ ବାହାରିଥିବା ବନ ବିଭାଗର ଏକ ଟିମ୍‌କୁ ମଧ୍ୟ ସେମାନେ ଅଟକାଇ ରଖିଛନ୍ତି। ସେମାନଙ୍କର ଅଭିଯୋଗ ବାଘୁଣୀ ଗୃହପାଳିତ ପଶୁଙ୍କ ଠାରୁ ଆରମ୍ଭ କରି ମଣିଷ ଯାଏଁ ମାରି ଚାଲିଛି, କିନ୍ତୁ ବନ ବିଭାଗ କିଂବା ପ୍ରଶାସନ ତରଫରୁ ସେମାନଙ୍କର ସୁରକ୍ଷା ପାଇଁ କୌଣସି ବନ୍ଦୋବସ୍ତ କରାଯାଉ ନାହିଁ।

ଶନିବାର ଦିନ ବାଘୁଣୀ ‘ସୁନ୍ଦରୀ’ ଟାଇଁଶି ଗ୍ରାମର ଶ୍ରୀନାଥ ସାହୁଙ୍କୁ ମାରିବା ପରେ ତାଙ୍କର ଶବ ରଖି ଲୋକେ ରାତି ଯାଏଁ ତୀବ୍ର ପ୍ରତିବାଦ କରିଥିଲେ। ତାଙ୍କର ଶବ ଏବେ ସୁଦ୍ଧା ବ୍ୟବଚ୍ଛେଦ ହୋଇ ପାରି ନାହିଁ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ପୁଲିସ ତାଙ୍କ ଶବକୁ ଜଗି ବସିଛି। ପରିବାର ଲୋକେ ପହଞ୍ଚିଲେ ଶବ ବ୍ୟବଚ୍ଛେଦ କରାଯିବ।

By amfnews

Related Post