Sun. Oct 25th, 2026
404 Views

ଭୁବନେଶ୍ବର : ରବିବାର ଠାରୁ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେବ। ଅଧିକାଂଶ ସ୍ଥାନରେ ପାରଦ ୩୮ଡିଗ୍ରି ଛୁଇଁବ। ଦକ୍ଷିଣ, ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ପାରଦ ୪୦ଡିଗ୍ରି ଛୁଇଁପାରେ। ଦକ୍ଷିଣ ପଶ୍ଚିମ ଦିଗରୁ ତତଲା ପବନ ବି ବହିବ। ଆସନ୍ତା ୫ଦିନ ପର୍ଯ୍ୟନ୍ତ ଏହିଭଳି ସ୍ଥିତି ଜାରି ରହିବ। ଏହିଭଳି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ହୋଇଯାଇଥିବାବେଳେ ଆଗକୁ ଅସହ୍ୟ ହେବାକୁ ଯାଉଛି। ମାଲକାନଗିରିରେ ଗତ କିଛି ଦିନ ହେବ ପାରଦ ୪୦ଡିଗ୍ରି ଛୁଉଁଥିବାବେଳେ ରାଜ୍ୟ‌ର ବାକି ସ୍ଥାନରେ ପାରଦ ଆହୁରି ୨ରୁ ୩ଡିଗ୍ରି ବଢ଼ିପାରେ। ଏଭଳି ସ୍ଥିତି ଦେଖି ରାଜ୍ୟ ସରକାର ଖରାର ମୁକାବିଲା ପାଇଁ ବିଭିନ୍ନ ବିଭାଗକୁ ଗାଇଡଲାଇନ୍ ଜାରି କରିଛନ୍ତି। ଖରା ମୁକାବିଲା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏପ୍ରିଲ୍‌ ୨ରୁ ସକାଳୁଆ ସ୍କୁଲ କରିବାକୁ ଘୋଷଣା କରିଛି।

ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ରାଜ୍ୟର ସର୍ବାଧିକ ତାପମାତ୍ରା ମାଲକାନଗିରିରେ ରେକର୍ଡ ହୋଇଛି। ସେଠାରେ ପାରଦ ୪୦ଡିଗ୍ରି ଛୁଇଁଛି। ଏହାସହ ଅଧିକାଂଶ ସ୍ଥାନରେ ପାରଦ ୩୫ଡିଗ୍ରି ଉପରେ ରହିଥିବାବେଳେ ଆସନ୍ତା ସପ୍ତାହକ ମଧ୍ୟରେ ପାରଦ ଦୁଇରୁ ତିନି ଡିଗ୍ରି ବଢ଼ିପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଭୁବନେଶ୍ବର ପାଣିପାଗ କେନ୍ଦ୍ର ସୂଚନା ଅନୁଯା‌ୟୀ, ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ସର୍ବୋଚ୍ଚ ତାପମାତ୍ରା ହାରାହାରି ୩୮ଡିଗ୍ରି ଏବଂ ସର୍ବନିମ୍ନ ତାପମାତ୍ରା ୨୩ଡିଗ୍ରି ପାଖାପାଖି ରହିବ। ଏହା ପ୍ରଭାବରେ ପୂର୍ବାହ୍ନରେ ଗରମ ଅନୁଭୂତ ହେବ ଏବଂ ଅପରାହ୍ନରେ କାଳବୈଶାଖୀ ଜନିତ ବର୍ଷା ପବନ ହୋଇପାରେ। ଆସନ୍ତା ୨୪, ୨୭ ଓ ୨୮ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ରାୟଗଡ଼ା, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ ଆଦି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ପବନ ହେବାର ସମ୍ଭାବନା ରହିଛି।

By amfnews

Related Post