Fri. Aug 14th, 2026

ଆଗକୁ ଶୀତ କମିବ, ରାଜ୍ୟର କେତେକ ସ୍ଥାନରେ ଲାଗି ରହିବ ଘନ କୁହୁଡି

205 Views

ଭୁବନେଶ୍ବର : ଶନିବାରଠାରୁ ପାଗରେ ସାମାନ୍ୟ ପରିବର୍ତନ ଆସିବ। ରାଜ୍ୟର ଅଳ୍ପ କେତେକ ସ୍ଥାନକୁ ଛାଡ଼ି ଅଧିକାଂଶ ଅଞ୍ଚଳରେ ରାତିର ସର୍ବନିମ୍ନ ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି। ତେବେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ, ସୋନପୁର, ବଲାଙ୍ଗୀର, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ ଓ କୋ‌ରାପୁଟରେ ଘନ କୁହୁଡ଼ି ଲାଗିରହିବ। ତାହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଆସନ୍ତା ଦୁଇ ଦିନ ମଧ୍ୟରେ କେତେକ ସ୍ଥାନରେ ରାତିର ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରି ପର୍ଯ୍ୟନ୍ତ ଖସିବ। ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳକୁ ଖସି ଆସିବ। ତେବେ ୧୩ ତାରିଖଠାରୁ ପାଗରେ ପୁଣିଥରେ ପରିବର୍ତନ ଆସିବ। ଥଣ୍ଡା କମିବା ସହ ରାତିର ତାପମାତ୍ରା ବଢ଼ିବ। ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରି ରେକର୍ଡ କରାଯାଇଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ଆସନ୍ତା ଦୁଇ ଦିନ ସର୍ବନିମ୍ନ ତାପମାତ୍ରା ଦୁଇ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ୧୩ରୁ ୧୫ ତାରିଖ ମଧ୍ୟରେ ଏହି ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରି ବଢ଼ିବ ଓ ଥଣ୍ଡା କମିବ। ୧୫ରୁ ୧୮ ତାରିଖ ମଧ୍ୟରେ ପାଗ ଅପରିବର୍ତ୍ତିତ ରହିବ। ଦିନର ସର୍ବାଧିକ ତାପମାତ୍ର ୧୪ ତାରିଖ ସୁଦ୍ଧା ପ୍ରାୟ ୪ ଡିଗ୍ରି ବଢ଼ିବାର ସମ୍ଭାବନା ରହିଛି। ତେବେ ରାଜ୍ୟ ବାକି ସମସ୍ତ ଅଞ୍ଚଳରେ ୧୧ ତାରିଖ ରାତିଠାରୁ ସର୍ବନିମ୍ନ ତାପମାତ୍ରା କ୍ରମଶଃ ବଢ଼ି ୧୫ ତାରିଖ ସୁଦ୍ଧା ପ୍ରାୟ ୪ ଡିଗ୍ରି ବଢ଼ିବାର ସମ୍ଭାବନା ରହିଛି। ଦିନର ସର୍ବାଧିକ ତାପମାତ୍ରା ୪ରୁ ୬ ଡିଗ୍ରି ବଢ଼ିବା ହେତୁ ଥଣ୍ଡା ସ୍ବାଭାବିକଠାରୁ କମ୍‌ ରହିବ।

ସାଧାରଣତଃ ଏହି ସମୟରେ ଉତ୍ତରା ପବନ ଯୋଗୁଁ ଥଣ୍ଡା ବଢ଼ିଥାଏ। ତେବେ ଚଳିତବର୍ଷ ବିଭିନ୍ନ ସମୟରେ ପବନ ପ୍ରବାହର ଦିଗ ସ୍ଥିର ରହିପାରୁନି। ଏଣୁ ରାଜ୍ୟରେ ଶୀତ ଲୁଚକାଳି ଖେଳୁଛି।

By amfnews

Related Post