Sat. Jul 4th, 2026

ଆଉ ୨ ସୁଡ଼ଙ୍ଗର ସନ୍ଧାନ ମିଳିଲା : ତଦନ୍ତରେ ଆସିବ ପ୍ରତ୍ନତତ୍ତ୍ୱ ବିଭାଗ, ମୁତୟନ ହେବେ ଓଡ୍ରାଫ୍‌ ବାହିନୀ

370 Views

ରାଉରକେଲା : ଦି’ଦିନ ତଳେ ବିଶ୍ରା ବ୍ଲକ ଅନ୍ତର୍ଗତ ଜବାଘାଟ ନିକଟ ଭାଟିଟୋଲିର ମହେଶ୍ୱର ମୁଣ୍ଡାରୀଙ୍କ ଘର ବାଡ଼ିପଟର କିଛି ଭୂଭାଗ ୩୦ ଫୁଟ ତଳକୁ ଧସିବା ସହ ଏକ ଗଭୀର ସୁଡ଼ଙ୍ଗ ନଜରକୁ ଆସିଥିଲା। ଆଜି ସେହି ସୁଡ଼ଙ୍ଗର କିଛି ଫୁଟ ତଳେ ଉଭୟ ପଟେ ଆଉ ଦୁଇଟି ସୁଡ଼ଙ୍ଗ ଦୃଷ୍ଟିଗୋଚର ହୋଇଛି। ଏଭଳି ଅଚାନକ ଭୂସ୍ଖଳନ ଓ ରହସ୍ୟମୟ ସୁଡ଼ଙ୍ଗ ଦେଖି ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଜିଲ୍ଲା ପ୍ରଶାସନ ମଧ୍ୟ ଏହାକୁ ଗମ୍ଭୀରତାର ସହ ନେଇଛି।

ବନ୍ଧମୁଣ୍ଡାରେ ରେଲବାଇ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ୫ ବର୍ଷ ତଳେ ଅବସର ନେଇଥିବା ମହେଶ୍ୱର ମୁଣ୍ଡାରୀ ଘର ତିଆରି କରି ସପରିବାର ରହି ଆସୁଛନ୍ତି। କିଛି ଦିନ ତଳେ ଘର ବାଡ଼ିପଟର କିଛି ଭୂଭାଗ ଧସି ଯାଇଥିଲା। ଧୀରେଧୀରେ ତାହା ୩୦ ଫୁଟ ତଳକୁ ଦବି ଯାଇଥିବା ବେଳେ ସୋମବାରଠାରୁ ବିରାଟ ସୁଡ଼ଙ୍ଗ ଦୃଷ୍ଟିଗୋଚର ହୋଇଥିଲା। ଆଜି ସେହି ସୁଡ଼ଙ୍ଗ ମଧ୍ୟରେ ଆଉ ଦୁଇଟି ନୂଆ ସୁଡ଼ଙ୍ଗ ଦେଖାଯିବା ପରେ ଗାଁରେ ହଇଚଇ ସୃଷ୍ଟି ହୋଇଛି।

ଏହି ସୁଡ଼ଙ୍ଗ ମହେଶ୍ୱର ମୁଣ୍ଡାରୀ ଓ ଅନ୍ୟ ଜଣେ ପଡ଼ୋଶୀଙ୍କ ଘର ଆଡ଼କୁ ଲମ୍ବିଯାଇଥିବା ଅନୁମାନ କରାଯାଉଛି। ଯେ କୌଣସି ମୁହୂର୍ତ୍ତରେ ଉଭୟଙ୍କ ଘର ଭୁଶୁଡ଼ି ପଡ଼ିବା ଆଶଙ୍କା ଥିବାରୁ ପ୍ରଶାସନର ପରାମର୍ଶକ୍ରମେ ପରିବାରଦ୍ୱୟ ଘର ଛାଡ଼ି ଅନ୍ୟତ୍ର ରହୁଛନ୍ତି। ସୁଡ଼ଙ୍ଗ ସ୍ଥଳର ଭୂସ୍ଖଳନ ପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖିବାକୁ ଆସନ୍ତାକାଲି ଠାରୁ ସେଠାରେ ଓଡ଼ିଶା ବିପର୍ଯ୍ୟୟ ମୁକାବିଲା ବାହିନୀ (ଓଡ୍ରାଫ୍‌) ମୁତୟନ କରାଯିବ ବୋଲି ଉପଜିଲ୍ଲାପାଳ କହିିଛନ୍ତି। ଅନ୍ୟପଟେ ସୁଡ଼ଙ୍ଗର ରହସ୍ୟ ଉନ୍ମୋଚନ କରିବା ସହ ପ୍ରଭାବିତ ୨ ପରିବାରକୁ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

By amfnews

Related Post