Fri. Apr 24th, 2026

ଆଇଡି କାର୍ଡ ନୁହେଁ ଅଥରାଇଜେସନ ଲେଟର ଦେଲେ ଯିବେ ଅଫିସ- କମିଶନରେଟ ପୋଲିସ

405 Views

ଭୁବନେଶ୍ବର, ମେ ୦୯ : ବିଭିନ୍ନ ବେସରକାରୀ ସଂସ୍ଥା ପକ୍ଷରୁ ଦିଆଯାଇଥିବା ପରିଚୟପତ୍ରକୁ ବ୍ୟବହାର ଲକଡାଉନ ସମୟରେ ଅମାନିଆମାନେ ରାସ୍ତାରେ ବୁଲୁଥିବାରୁ କମିଶନରେଟ ପୋଲିସ ପକ୍ଷରୁ ନୂଆ ନିଷ୍ପତ୍ତି ନିଆଯାଇଛି।  

ଯେଉଁ କର୍ମଚାରୀଙ୍କୁ ଅଫିସ ଆସିବାକୁ କୁହାଯାଇଛି ତାହାର ଏକ ତାଲିକା ଉକ୍ତ ବେସରକାରୀ ସଂସ୍ଥାକୁ ଡିସିପି ଅଫିସରେ ଦାଖଲ କରିବାକୁ ହେବ । ଏଥିସହ ନିଜ କର୍ମଚାରୀଙ୍କୁ ସଂସ୍ଥା ଏକ ଅଥରାଇଜେସନ ଲେଟର ବି ପ୍ରଦାନ କରିବ ।

ପରିଚୟପତ୍ର ଓ ଅଥରାଇଜେସନ ଲେଟର ଦେଖାଇ ସଂପୃକ୍ତ କର୍ମଚାରୀ ଯାତାୟତ କରିପାରିବେ ବୋଲି ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି । ସେ କହିଛନ୍ତି ଯେ ଏଥର ଲକଡାଉନ ଓ ସଟଡାଉନରେ କୌଣସି ପାସ୍ ଜାରି କରାଯାଇନି । ସଂସ୍ଥାର ପରିଚୟପତ୍ର ଦେଖାଇ ଯିବାକୁ କୁହାଯାଇଛି । ଲୋକଙ୍କୁ ବିଶ୍ୱାସକୁ ନେଇ ପୋଲିସ୍ କାମ କରୁଛି ।

ଏହାସହ ଆଇଟି, ବ୍ୟାଙ୍କ ଭଳି ସେବା କ୍ଷେତ୍ରର ସଂସ୍ଥାକୁ କଟକଣାମୁକ୍ତ କରାଯାଇଛି । ହେଲେ ଏହାର ସୁଯୋଗ ନେଇ କର୍ମଚାରୀମାନେ ଖୁଲମଖୁଲା ସେମାନଙ୍କ କାର୍ଡ ଦେଖାଇ ବୁଲୁଛନ୍ତି ।ଏହା ଉପରେ ନିୟନ୍ତ୍ରଣ ଆଣିବା ଲାଗି ସେମାନଙ୍କ ସଂସ୍ଥାକୁ ନିର୍ଦ୍ଦେଶ ଜାରି କରାଯାଇଛି । କେଉଁ କର୍ମଚାରୀ କେଉଁ ଅଫିସରେ, କେଉଁ ସମୟରେ କାମ କରିବେ ସେନେଇ ନିର୍ଦ୍ଦିଷ୍ଟ ଅଥରାଇଜେସନ ଲେଟର ଡିସିପିଙ୍କ ପାଖରେ ଦାଖଲ କରିବାକୁ ସଂସ୍ଥାଗୁଡିକୁ କୁହାଯାଇଥିବା ସେ କହିଛନ୍ତି ।

By amfnews

Related Post