Tue. Oct 13th, 2026

ଆଇଏନ୍‌ଏକ୍ସ ମିଡିଆ ମାମଲା: ଦିଲ୍ଲୀ ଘର ଖାଲି କରିବାକୁ କାର୍ତି ଚିଦାମ୍ବରମ୍‌ଙ୍କୁ ନିର୍ଦେଶ ଦେଲା ପ୍ରବର୍ତ୍ତନ ନିର୍ଦେଶାଳୟ

276 Views

ନୂଆଦିଲ୍ଲୀ: ସ୍ଥାନୀୟ ଜୋର୍‌ ବାଗ ଠାରେ ଥିବା ଘର ଖାଲି କରିବାକୁ ବୁଧବାର ଦିନ ପ୍ରବର୍ତ୍ତନ ନିର୍ଦେଶାଳୟ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କ ପୁତ୍ର କାର୍ତିଙ୍କୁ ନିର୍ଦେଶ ଦେଇଛି। ଏହି ଘରଟିକୁ ପୂର୍ବରୁ ପ୍ରବର୍ତ୍ତନ ନିର୍ଦେଶାଳୟ ଆଇଏନ୍‌ଏକ୍ସ୍‍ ମିଡିଆ ଦୁର୍ନୀତି ମାମଲାରେ ଆଟାଚ୍‌ କରିଥିଲା।

ପୂର୍ବରୁ ‘ପିଏମ୍‌ଏଲ୍‌ଏମ୍‌’ର ଆଡ୍‌ଜୁଡିକେଟିଙ୍ଗ୍‌ ଅଥରିଟି ଦେଇଥିବା ଆଦେଶ ପରେ ବୁଧବାର ସନ୍ଧ୍ୟାରେ ଘରଖାଲି କରିବା ନୋଟିସ୍‌ ଦିଆଯାଇଥିଲା। ନୂଆଦିଲ୍ଲୀର ଜୋର୍‌ ବାଗ୍‌ ଅଞ୍ଚଳର ୧୧୫-ଏ ବ୍ଲକ୍‌ ୧୭୨ରେ ଥିବା ଏହି ସ୍ଥାବର ସମ୍ପତ୍ତିକୁ ଗତବର୍ଷ ଅକ୍ଟୋବର ୧୦ ତାରିଖରେ ପ୍ରବର୍ତ୍ତନ ନିର୍ଦେଶାଳୟ ଆଟାଚ୍‌ କରିଥିଲା। ପରେ ମାର୍ଚ ୨୯ ତାରିଖ ଦିନ ଏହି ଆଟାଚ୍‌ମେଣ୍ଟ୍‌କୁ ନିଶ୍ଚିତ କରାଯାଇଥିଲା।

ଏହି ସମ୍ପତ୍ତିର ମାଲିକାନା ମିଳିତଭାବେ କାର୍ତ୍ତି ଏବଂ ତାଙ୍କ ମାଆ ନଳିନୀଙ୍କ ଚିଦାମ୍ବରମ୍‌ଙ୍କ ନାମରେ ରହିଛି। ପରବର୍ତ୍ତୀ ଆଦେଶ ମିଳିବା ଯାଏଁ ଉକ୍ତ ସମ୍ପତ୍ତି ପ୍ରବର୍ତ୍ତନ ନିର୍ଦେଶାଳୟଙ୍କ ଅଧୀନରେ ରହିବ। ତାମିଲନାଡୁର ଶିବଗଙ୍ଗାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା କାର୍ତି ଚିଦାମ୍ବରମ୍‌ ଆଇଏନ୍‌ଏକ୍ସ୍‍ ମିଡିଆ ଦୁର୍ନୀତି ମାମଲାରେ ଜାମିନରେ ଅଛନ୍ତି।

By amfnews

Related Post