Fri. Apr 24th, 2026

ଅହମ୍ମଦାବାଦର ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନ କଲେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ

227 Views

ଅହମ୍ମଦାବାଦ : ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ଅହମ୍ମଦବାଦରେ ଥିବା ଜଗନ୍ନାଥ ମନ୍ଦିରରେ ଆଜି ରଥଯାତ୍ରା ଉପଲକ୍ଷେ ପୂଜାର୍ଚ୍ଚନ କରିଛନ୍ତି। ଠିକ୍‌ ସେହିପରି ଉପ ମୁଖ୍ୟମନ୍ତ୍ରୀ ନୀତିନଭାଇ ପଟେଲ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଯାଇ ପୂଜାର୍ଚ୍ଚନ କରିବା ସହିତ ସମସ୍ତଙ୍କର ସୁସ୍ୱାସ୍ଥ୍ୟ,ସୁଖ ଓ ସମୃଦ୍ଧିର କାମନା କରିଛନ୍ତି।

ଅହମ୍ମଦାବାଦର ପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳାର ସହିତ ସମାପନ କରିବାକୁ ସମସ୍ତ ପ୍ରକାରର ବନ୍ଦୋବସ୍ତ କରାଯାଇଛି ବୋଲି ପୁଲିସ ଆଇଜି ସୌମ୍ୟ ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ କରିବା ପାଇଁ ଅହମ୍ମଦାବାଦର ଶ୍ରୀଜଗନ୍ନାଥମନ୍ଦିର ଠାରୁ ଆରମ୍ଭ କରି ମାଉସୀମା’ ମନ୍ଦିର ଯାଏଁ ପ୍ରାୟ ୧୦ ହଜାର ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଆଇଜି। ଆଜି ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଓ ଛେରାପହଁରା ଅନୁଷ୍ଠିତ ହେବା ପରେ ସେଠାରେ ରଥଯାତ୍ରା ଆରମ୍ଭ ହେବ ବୋଲି ଜଣାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ଆଜି ସକାଳେ ବିଜେପି ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବି ଅହମ୍ମଦବାଦରେ ଥିବା ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନ କରିଥିଲେ।

By amfnews

Related Post