Sat. Aug 29th, 2026

ଅଶ୍ଳୀଳ ଭିଡିଓ ଦେଖିବା ଘଟଣା : କ୍ଲିନ୍ ଚିଟ୍ ଦେଲା ସଦାଚାର କମିଟି

381 Views

ଭୁବନେଶ୍ବର , ଡିସେମ୍ବର ୩୧ : ବିଧାନସଭା ଗୃହ ଭିତରେ ଅଶ୍ଳୀଳ ଭିଡିଓ ଦେଖିବା ଘଟଣାରେ ବିଧାନସଭା ସଦାଚାର କମିଟି କଂଗ୍ରେସର ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସଙ୍କୁ କ୍ଲିନଚିଟ୍ େଦଇଛି। କମିଟି ଗତ ୧୮ ତାରିଖ ବୈଠକରେ ଏ ନେଇ ୯ପୃଷ୍ଠାର ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରିଛନ୍ତି।

କମିଟିର ରିପୋର୍ଟ ଅନୁଯାୟୀ, ଏ ସଂକ୍ରାନ୍ତ ଭିଡିଓ ଉତ୍ତୋଳନ କରିଥିବା ଘରୋଇ ଟିଭି ଚାନେଲରୁ ସଂପୃକ୍ତ ଅଂଶ ମଗାଯାଇଥିଲା। ୨୦୧୫ ମସିହା ଡିସେମ୍ବର ୧୪ ତାରିଖରେ ବିଧାନସଭା ଗୃହ ଭିତର ସିସିଟିଭି ଯାଞ୍ଚ କରିବାକୁ କମିଟି ନିର୍ଦ୍ଦେଶ ଦେଇଥିଲା। ଗତ ୧୫ ତାରିଖରେ ବିଧାନସଭା ସିସିଟିଭି ଦାୟିତ୍ବରେ ଥିବା କନିଷ୍ଠ ଯନ୍ତ୍ରୀ ସିସିଟିଭି ଫୁଟେଜ ସଦାଚାର କମିଟି ଆଗରେ ଉପସ୍ଥାପନ କରିଥିଲେ।

କଂଗ୍ରେସ ବିଧାୟକ ଶ୍ରୀ ଦାସ ଘଟଣା ଦିନ କୌଣସି ଅଶ୍ଲୀଳ ଭିଡିଓ ଦେଖୁନଥିବା ପ୍ରମାଣ ଦେଇଛନ୍ତି କନିଷ୍ଠ ଯନ୍ତ୍ରୀ। ସେହିପରି ସମ୍ପୃକ୍ତ ଘରୋଇ ଚାନେଲର ସମ୍ପାଦକ ଗତ ୧୭ ତାରିଖରେ ନବ ଦାସଙ୍କ ବିରୋଧରେ ଆସିଥିବା ଅଭିଯୋଗ ନେଇ କୌଣସି ଠୋସ ଭିଡିଓ ଫୁଟେଜ ନଥିବା ନେଇ ମଧ୍ୟ କମିଟି ଆଗରେ ହାଜର ହୋଇ କହିଥିଲେ। ବିଧାନସଭା କନିଷ୍ଠ ଯନ୍ତ୍ରୀ ଓ ଘରୋଇ ଚାନେଲର ସମ୍ପାଦକଙ୍କ ଲିଖିତ ବୟାନ ଆଧାରରେ ବିଧାନସଭା ସଦାଚାର କମିଟି କଂଗ୍ରେସ ବିଧାୟକ ନବ ଦାସଙ୍କୁ କ୍ଲିନ୍ ଚିଟ୍ ଦେବାକୁ ନିଷ୍ପତ୍ତି ନେଇଛି। ତଥ୍ୟ ଓ ପ୍ରମାଣ ଅଭାବରୁ ନବ ଦାସଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖାରଜ କରିଛି କମିଟି।

ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଗଠିତ ୨୪ ସଦସ୍ୟ ବିଶିଷ୍ଟ ସଦାଚାର କମିଟିର ପ୍ରଥମ ବୈଠକ ୨୦୧୬ ଫେବ୍ରୁଆରି ୧୬ ତାରିଖରେ ବସିଥିଲା। ପ୍ରଥମ ବୈଠକରେ ବିଜେଡି ବିଧାୟକ ଧନେଶ୍ବର ମାଝୀ କହିଥିଲେ, କର୍ଣ୍ଣାଟକ ବିଧାନସଭାରେ ଏପରି ଅଶ୍ଲୀଳ ଭିଡିଓ ଦେଖିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ସେଇ ଆଧାରରେ ନବ ଦାସଙ୍କ ଅଶ୍ଳୀଳ ଭିଡିଓ ଦେଖିବା ଘଟଣାର ତଦନ୍ତ ହେବା ଉଚିତ।
ବିଧାୟକଙ୍କ ମତ ଅନୁଯାୟୀ କର୍ଣ୍ଣାଟକ ବିଧାନସଭାର ଗୃହ କମିଟି ତଦନ୍ତ ରିପୋର୍ଟ ମଗାଯାଇ ଅନୁଧ୍ୟାନ କରିଥିଲା ଓଡ଼ିଶା ବିଧାନସଭା ସଦାଚାର କମିଟି। ଉଲ୍ଲେଖଯୋଗ୍ୟ, ପ୍ରଶ୍ନକାଳରେ ବିଧାୟକ ଶ୍ରୀ ଦାସ ନିଜ ମୋବାଇଲରେ ଅଶ୍ଲୀଳ ଭିଡିଓ ଦେଖୁଥିବା ଅଭିେଯାଗ ଉଠିଥିଲା। ନବ ଦାସ ଏହାକୁ ଖଣ୍ଡନ କରିଥିଲେ। ଏହି ଘଟଣାରେ ଶ୍ରୀ ଦାସଙ୍କୁ ବିଧାନସଭାରୁ ୭ ଦିନ ପାଇଁ ନିଲମ୍ବିତ କରାଯାଇଥିଲା।

By amfnews

Related Post