Thu. Jun 11th, 2026

ଅଯୋଧ୍ୟା ମାମଲାରୁ ହଟିଲେ ରାଜୀବ ଧୱନ୍‌

207 Views

ନୂଆଦିଲ୍ଲୀ: ରାମ ଜନ୍ମଭୂମି-ବାବ୍ରି ମସଜିଦ୍‌ ମାମଲାରେ ମୁସଲିମ୍ ପକ୍ଷ ପାଇଁ ସୁପ୍ରିମ୍‌କୋର୍ଟରେ ଲଢ଼ୁଥିବା ବରିଷ୍ଠ ଓକିଲ ରାଜୀବ ଧୱନ୍‌ ଏହି ମାମଲାରୁ ହଟିଛନ୍ତି। ସେ ନିଜେ ହିଁ ଏହି ବିଷୟରେ ଘୋଷଣା କରିଛନ୍ତି। ସେ ବିନା ଦ୍ୱିଧାରେ ଏହାକୁ ଗ୍ରହଣ କରିଥିବା କହିଛନ୍ତି। ତେବେ ତାଙ୍କୁ ବାହାର କରାଯିବାର କାରଣ ଭୁଲ ଭାବେ ଦର୍ଶାଯାଇଥିବା ସେ ଧୱନ୍‌ କହିଛନ୍ତି।

ଆଜି ସକାଳ ସମୟରେ ସେ ଫେସବୁକ୍‌ରେ ଘୋଷଣା କରିଥିଲେ, “ଜାମିଆତକୁ ପ୍ରତିନିଧିତ୍ୱ କରୁଥିବା ଆଡଭୋକେଟ୍‌ ଅନ୍‌ ରେକର୍ଡ ଏଜାଜ୍‌ ମକବୁଲ୍‌ଙ୍କ ଦ୍ୱାରା ମୋତେ ବାବ୍ରି ମାମଲାରୁ ହଟାଯାଇଛି। ମୁଁ ଏହାକୁ ଗ୍ରହଣକରିଥିବା ନେଇ ସ୍ୱୀକାର ପତ୍ର ପଠାଇସାରିଛି। ଏହି ରିଭ୍ୟୁ ମାମଲା ସହ ମୁଁ ଆଉ ଜଡ଼ିତ ନାହିଁ।”

ତେବେ ତାଙ୍କୁ ବାହାର କରାଯାଇଥିବା ନେଇ ଯେଉଁ କାରଣ ଦର୍ଶାଯାଇଛି ତାକୁ ନେଇ ଶ୍ରୀ ଧୱନ୍‌ ପ୍ରତିକ୍ରିୟାଶୀଳ ହୋଇଛନ୍ତି। ସେ କହିଛନ୍ତି, “ମୋତେ କୁହାଯାଇଛି ଏବଂ ମଦାନୀ ଦର୍ଶାଇଛନ୍ତି ମୁଁ କୁଆଡ଼େ ଅସୁସ୍ଥ ଥିବାରୁ ମୋତେ ବାହାର କରାଗଲା। ଏହା ସମ୍ପୂର୍ଣ୍ଣ ଭୁଲ କଥା। ସେ ମୋତେ ବାହାର କରିବା ପାଇଁ ଆଡଭୋକେଟ୍‌ ଅନ୍‌ ରେକର୍ଡ ଏଜାଜ୍‌ ମକବୁଲ୍‌ଙ୍କୁ ନିର୍ଦ୍ଦେଶ ଦେଇପାରନ୍ତି। କିନ୍ତୁ ଯେଉଁ କାରଣ ଦର୍ଶାଯାଇଛି ତାହା ଭୁଲ।”

ଅଯୋଧ୍ୟା ମାମଲାରେ ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ନିକଟରେ ସେ ମୁସଲିମ୍‌ ପକ୍ଷ ପାଇଁ ଯୁକ୍ତି ରଖୁଥିଲେ। ସେ ମୋଟ ୪୦ ଦିନରୁ ୨ ସପ୍ତହ ଧରି ଯୁକ୍ତି ରଖିଥିଲେ।

By amfnews

Related Post