Sat. Jul 25th, 2026

ଅଭିନେତା-ରାଜନେତା ତାପସ ପାଲ୍‌ଙ୍କ ପରଲୋକ

374 Views

ମୁମ୍ବାଇ : ବରିଷ୍ଠ ବଙ୍ଗାଳୀ ଅଭିନେତା ତଥା ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ ତାପସ ପାଲ୍‌ଙ୍କର ଆଜି ଭୋର୍‌ରେ ପରଲୋକ ହୋଇଯାଇଛି। ମୁମ୍ବାଇର ଏକ ଡାକ୍ତରଖାନାରେ ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା।

ତାପସ ମୁମ୍ବାଇରେ ରହୁଥିବା ତାଙ୍କ ଝିଅ ପାଖକୁ ଯାଇଥିଲେ। ସେଠାରୁ କୋଲକାତା ଫେରିବା ବେଳେ ମୁମ୍ବାଇ ବିମାନବନ୍ଦରରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତେଣୁ ତାଙ୍କୁ ଜୁହୁ ସ୍ଥିତ ଏକ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର୍ ପ୍ରାୟ ୪ଟା ବେଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

ସୂଚନା ଅନୁଯାୟୀ, ତାପସ ହୃଦ୍‌ରୋଗରେ ପୀଡ଼ିତ ଥିଲେ। ଏଥିପାଇଁ ଗତ ଦୁଇ ବର୍ଷରେ ସେ ଅନେକ ଥର ଡାକ୍ତରଖାନାରେ ଭର୍ତ୍ତି ମଧ୍ୟ ହୋଇଥିଲେ।

ତାପସ ଦୁଇ ଥର ଲୋକସଭା ସାଂସଦ ହେବା ସହିତ ବିଧାୟକ ମଧ୍ୟ ରହିଥିଲେ। ତାଙ୍କର ପତ୍ନୀ ଓ ଜଣେ ଝିଅ ଅଛନ୍ତି।

ଜଣେ ରୋମାଣ୍ଟିକ୍ ହିରୋ ଭାବେ ସେ ବଙ୍ଗାଳୀ ଫିଲ୍ମରେ ବେଶ୍ ପ୍ରସିଦ୍ଧି ଲାଭ କରିଥିଲେ। ସେ କିଛି ହିନ୍ଦୀ ଏବଂ ଓଡ଼ିଆ ଓ ବଙ୍ଗଳା ଦ୍ୱିଭାଷିକ ଫିଲ୍ମ ମଧ୍ୟ କରିଥିଲେ। ୨୦୧୬ରେ ରୋଜ୍‌ ଭ୍ୟାଲି ଚିଟ୍‌ ଫଣ୍ଡ୍‌ ଦୁର୍ନୀତିରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ୧୩ ମାସ ପରେ ତାଙ୍କୁ ଜାମିନ୍ ମିଳିଥିଲା। ତା’ପରଠାରୁ ସେ ଉଭୟ ଫିଲ୍ମ ଓ ସକ୍ରିୟ ରାଜନୀତିରୁ ଦୂରେଇ ଯାଇଥିଲେ।

୧୯୮୦ରେ ବଙ୍ଗାଳୀ ଫିଲ୍ମରେ ଡେବ୍ୟୁ କରିଥିବା ତାପସ ୨୦୦୧ରୁ ୨୦୦୯ ପର୍ଯ୍ୟନ୍ତ ବିଧାୟକ ରହିଥିଲେ। ତା’ପରେ ସେ କୃଷ୍ଣନଗର ଲୋକସଭା ଆସନରୁ ଦୁଇ ଥର ନିର୍ବାଚିତ ହୋଇଥିଲେ। ସେ ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ ସାଂସଦ ରହିଥିଲେ।

By amfnews

Related Post