Fri. May 15th, 2026

ଅବକାରୀ ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ‌‌‘ମୋନା’ର ବିକ୍ଷୋଭ, ଦାବି ପୂରଣ ନ ହେଲେ ୨୩ରେ ନବୀନ ନିବାସ ଘେରାଉ

260 Views

ଭୁବନେଶ୍ବର : ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା) ପକ୍ଷରୁ ଶୁକ୍ରବାର ଅବକାରୀ ମନ୍ତ୍ରୀ ନିରଂଜନ ପୂଜାରିଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜ୍ୟରେ ଅଧିକ ମଦ ଦୋକାନ ଖୋଲିବା ଏବଂ ବିଭିନ୍ନ ଉତ୍ସବରେ ଅସ୍ଥାୟୀ ଷ୍ଟଲ ଖୋଲି ମଦ ବିକ୍ରି କରିବାକୁ ବିରୋଧ କରି ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଅଭିଯାନ ପକ୍ଷରୁ କୁହାଯାଇଛି ଯେ ଅବକାରୀ ଅଧିନିୟମ ୨୦୧୭ ଅନୁଯାୟୀ, ବିବାହ, ବ୍ରତ, ମେଳା, ମହୋତ୍ସବ, ଶିବିର ଆଦି ସ୍ଥାନରେ ଅସ୍ଥାୟୀ ମଦ ବିକ୍ରି ପାଇଁ ଲାଇସେନ୍ସ ପ୍ରଦାନ ପାଇଁ ଜିଲ୍ଲାପାଳମାନଙ୍କୁ କ୍ଷମତା ଦିଆଯାଇଛି। ସେହିପରି ରାଜ୍ୟରେ ଅଧିକରୁ ଅଧିକ ମଦ ଦୋକାନ ଖୋଲିବା ପାଇଁ ଅବକାରୀ ଅଧୀକ୍ଷକମାନଙ୍କୁ ନିର୍ଦେଶ ଜାରି କରାଯାଇଛି। ଏହି ଅଧିନିୟମକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ଅନୁଷ୍ଠାନ ଦୃଢ଼ ଦାବି କରିଛି।

ଅପରପକ୍ଷେ ବିକ୍ଷୋଭ ପ୍ରଦର୍ଶନର କିଛି ସମୟ ପରେ ମନ୍ତ୍ରୀ ନିରଂଜନ ପୂଜାରି ଆନ୍ଦୋଳନକାରୀଙ୍କ ଏକ ପ୍ରତିନିଧିମଣ୍ଡଳୀ ସହ ଆଲୋଚନା କରିଥିଲେ। ଏହି ପ୍ରସଙ୍ଗ‌ରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ଆସନ୍ତା ୨୨ ତାରିଖ ମଧ୍ୟରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ତେବେ ନିର୍ଧାରିତ ସମୟ ମଧ୍ୟ‌ରେ ଯଦି କୌଣସି ପଦକ୍ଷେପ ନିଆ ନଯାଏ, ୨୩ ତାରିଖରେ ନବୀନ ନିବାସ ଘେରାଉ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ଚେତାବନୀ ଦିଆଯାଇଛି।

ଆଜିର ଏହି ଆନ୍ଦୋଳନରେ ଅନୁଷ୍ଠାନର ସଭାପତି ପଦ୍ମଚରଣ ନାୟକ, କାହ୍ନୁ ଚରଣ ବେହୁରା, ମଳୟ ତ୍ରିପାଠୀ, ପ୍ରିୟନାଥ ଆଚାର୍ଯ୍ୟ, ଅଶୋକ ମହାରଣା, ଗଣେଶ ପରିଡ଼ା, ବୀରକିଶୋର ‌ବେହେରା, ସର୍ବେଶ୍ବର ବାରିକ ପ୍ରମୁଖଙ୍କ ସମେତ ବହୁ କର୍ମକର୍ତ୍ତା ଯୋଗଦେଇ ପ୍ରତିବାଦ ଜଣାଇଥିଲେ।

By amfnews

Related Post