Thu. Jun 11th, 2026

ଅପରାହ୍ନ ୧ଟା ସୁଦ୍ଧା ରାଜ୍ୟରେ ୪୧ ପ୍ରତିଶତ ମତଦାନ; ୨୦ ମାଓ ଉପଦ୍ରୁତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅପରାହ୍ଣ ୪ଟା ଯାଏଁ ଭୋଟ୍

364 Views

ଭୁବନେଶ୍ୱର: ଆଜି  ଅପରାହ୍ନ ୧ଟା ସୁଦ୍ଧା ରାଜ୍ୟରେ ୪୧ ପ୍ରତିଶତ ଭୋଟିଂ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି। ଏଥିସହ ରାଜ୍ୟର ସମସ୍ତ ୪ ଲୋକସଭା ଓ ୨୮ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ଶନ୍ତିପୂର୍ଣ୍ଣ ରହିଛି। କୌଣସି ସ୍ଥାନରୁ ଅପ୍ରୀତିକର ଘଟଣାର ଖବର ଆସିନାହିଁ। ଏଥିସହ ସେ ସୂଚନା ଦେଇଥିଲେ କି ୨୮ଟିରୁ ୨୦ଟି  ବିଧାନସଭା ନିର୍ବାଚନ ମଣ୍ଡଳୀ ମାଓ ଉପଦ୍ରୁତ ହୋଇଥିବାରୁ ସେଠାରେ ଅପରାହ୍ଣ ୪ଟା ଯାଏଁ ମତଦାନ ହେବ। ମାତ୍ର ୪ଟା ସୁଦ୍ଧା ଧାଡ଼ିରେ ଥିବା ମତଦାତା ଭୋଟ ଦେଇପାରିବେ।

ଅପରପକ୍ଷରେ ସକାଳ ୯ଟା ସୁଦ୍ଧା ରାଜ୍ୟରେ ୬ ପ୍ରତିଶତ ଭୋଟିଂ ହୋଇଥିବାର ସୂଚନା ମିଳିଥିଲା। ପୂର୍ବାହ୍ନ ୧୧ଟା ସୁଦ୍ଧା ରାଜ୍ୟରେ ୨୨ ପ୍ରତିଶତ ଭୋଟିଂ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଗୁଣୁପୁରରେ ଅପରାହ୍ନ ୧ଟା ସୁଦ୍ଧା ୩୪, ବିଷମକଟକରେ ୩୧, ରାୟଗଡ଼ାରେ ୩୨ ଏବଂ ନବରଙ୍ଗପୁରରେ ୪୪.୬୬ ପ୍ରତିଶତ ଭୋଟିଂ ହୋଇଛି।

କଳାହାଣ୍ଡିର କଂଗ୍ରେସ ଲୋକସଭା ପ୍ରାର୍ଥୀ ଭକ୍ତ ଚରଣ ଦାସ ଏବଂ ତାଙ୍କ ପୁଅ ତଥା ଭବାନୀପାଟଣା କଂଗ୍ରେସ ବିଧାନସଭା ପ୍ରାର୍ଥୀ ସାଗର ଚରଣ ଦାସ ଏବଂ ଭବାନୀପାଟଣା ବିଜେଡି ବିଧାନସଭା ପ୍ରାର୍ଥୀ ଦୁଷ୍ମନ୍ତ ନାୟକ ଏବଂ କଂଗ୍ରେସର ଜୟପୁର ବିଧାନସଭା ପ୍ରାର୍ଥୀ ତାରା ବାହିନୀପତି ଏବଂ ରାୟଗଡ଼ା ବିଜେଡି ବିଧାନସଭା ପ୍ରାର୍ଥୀ ଲାଲ ବିହାରୀ ହିମରିକା ପ୍ରମୁଖଙ୍କ ସମେତ ବହୁ ପ୍ରାର୍ଥୀ  ଇତିମଧ୍ୟରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିସାରିଲେଣି।

By amfnews

Related Post