Sat. Aug 15th, 2026

ଅନ୍ଧ ବିଶ୍ବାସରୁ ଜଘନ୍ୟ କାଣ୍ଡ : ଗାଁ ଦାଣ୍ତରେ ଗୁଣିଆକୁ ପିଟିପିଟି ହତ୍ୟା

241 Views

କାଲିମେଳା : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍‌ରେ ପୁଣି ଅନ୍ଧବିଶ୍ବାସକୁ କେନ୍ଦ୍ର କରି ଘଟିଛି ଜଘନ୍ୟକାଣ୍ଡ। ପୋଟେରୁ ଫାଣ୍ଡି ଅଧୀନସ୍ଥ ଚିତ୍ରାଙ୍ଗପାଲୀ ପଞ୍ଚାୟତ ଅନ୍ତର୍ଗତ ଓରେଲଗୁଡ଼ା ଗାଁରେ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତକଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯିବା ପରେ ପୁଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି।

ଅଭିଯୋଗ ଅନୁଯାୟୀ ଓରେଲଗୁଡା ଗାଁର ଦେବା ବାଂଜାମୀ କିଛି ଦିନ ହେଲା ଅସୁସ୍ଥ ଥିଲେ। ତେବେ ଦୁଇ ଦିନ ତଳେ ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ି ଯିବାରୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଦେବାଙ୍କ ମୃତ୍ୟୁ ହୋଇଯାଇଥିଲା। ଅନ୍ୟପଟେ ପରିବାର ଲୋକ ଗୁଣି କରି ଦେବାଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରିଥିଲେ। ଆଉ ସବୁ ସନ୍ଦେହ ଯାଇ ଅଟକି ଯାଇଥିଲା ଗାଁ ଜଗା କବାସୀଙ୍କ ଉପରେ।

ତେଣୁ ଯେମିତି ହେଲେ ବି ଜଗାଙ୍କୁ ହତ୍ୟା କରି ରାସ୍ତାରୁ ହଟାଇବା ପାଇଁ ଯୋଜନା ହୋଇଥିଲା। ସେହି ଯୋଜନା ଅନୁଯାୟୀ, ଗତକାଲି ଅପରାହ୍ନରେ ଦେବା ବାଂଜାମୀଙ୍କ କିଛି ସଂପର୍କୀୟ ଜଗା ଘରକୁ ଯାଇଥିଲେ। ପାଟିତୁଣ୍ଡ କରି ଜଗାକୁ ଘର ଭିତରୁ ଭିଡ଼ି ଆଣିଥିଲେ ଗାଁ ଦାଣ୍ଡକୁ। ଏହାପରେ ଠେଙ୍ଗାରେ ପିଟିପିଟି ଅତି ନୃଶଂସ ଭାବେ ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ତରେ ମୃତ ଦେବା ବାଂଜାମୀର ବାପା ଉଂଗା ବାଂଜାମୀ, ପୁଅ ଇମାର୍ ବାଂଜାମୀଙ୍କ ସହ ଅନେକ ଗ୍ରାମବାସୀ ସାମିଲ ଥିବା ଅଭିଯୋଗ ହୋଇଛି। ଘଟଣା ସଂପର୍କରେ କାଲିମେଳା ଥାନାରେ ଅଭିଯୋଗ ହେବାରୁ ପୁଲିସ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ସୂଚନାଯୋଗ୍ୟ, ଗତ ୫ତାରିଖ ଦିନ ମଧ୍ୟ ଏମଭି-୭୯ଥାନା ଅନ୍ତର୍ଗତ ଉର୍ମାଗୁଡା ଗାଁରେ ଅନୁରୂପ ଘଟଣା ଘଟିଥିଲା।

By amfnews

Related Post