Fri. Jul 3rd, 2026

ଅଟୋଚାଳକଙ୍କ ପତ୍ନୀଙ୍କ ମଣିଷପଣିଆ : ଲକ୍ଷେ ୩୦ ହଜାର ଟଙ୍କାର ସୁନା ବ୍ରେସ୍‌ଲେଟ୍‌ ଫେରାଇଲେ

360 Views

‌କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା‌ର ଜଣେ ଅଟୋ ଚାଳକଙ୍କ ପତ୍ନୀ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିଲେ ବି ପାଇଥିବା ୧ ଲକ୍ଷ ୩୦ ହଜାର ଟଙ୍କାର ସୁନା ଗହଣାକୁ କୌଣସି ଲୋଭ ନରଖି ଫେରାଇ ଦେଇଛନ୍ତି। ଏଭଳି ଏକ ଘଟଣା ସାରା କେନ୍ଦ୍ରାପଡ଼ା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ପ୍ରଦୋଷ କୁମାର ଦାସ (ଲାଲୁ) ଜଣେ ଅଟୋ ଚାଳକ। ତାଙ୍କ ପତ୍ନୀ ଜୟନ୍ତୀ ଜଣେ ଗୃହିଣୀ। ଦୁଇ ଝିଅ ନର୍ମଦା ଓ କାବେରୀଙ୍କୁ ନେଇ ତାଙ୍କ ସ˚ସାର। ଗଲା ଦଶହରା ସମୟରେ କାଳୀମନ୍ଦିର ଛକ ରାସ୍ତାରେ ଯାତ୍ରା ଦେଖିବାକୁ ଯାଇଥିବା ବେଳେ ଏକ ସୁନାର ବ୍ରେସ୍‌ଲେଟ୍‌ ପାଇଥିଲେ ଜୟନ୍ତୀ। କାହାର ଏହି ବ୍ରେସ୍‌ଲେଟ ସେ ସଂପର୍କରେ ପଚରାପଚରି କରି କୌଣସି ସୂଚନା ପାଇ ନଥିବା ବେଳେ ଯଦି କେହି ନ ମିଳନ୍ତି ତେବେ ମନ୍ଦିରରେ ଦେଇ ଦେବାକୁ ଜୟନ୍ତୀ ଓ ଲାଲୁ ନିଷ୍ପତ୍ତି ନେଇଥିଲେ। ଅନ୍ୟପଟେ ଦଶହରା ଦିନ ନୂଆ କରି ୧ ଲକ୍ଷ ୩୦ ହଜାର ଟଙ୍କାର ବ୍ରେସ୍‌ଲେଟ୍‌ କିଣିଥିବା ଗରାପୁରର ମୃତ୍ୟୁଞ୍ଜଜୟ ମହାନ୍ତି ବି ସୁନା ହଜାଇ ଚିନ୍ତାରେ ପଡିଥିଲେ। ଲାଲୁ ସୁନା ପାଇଥିବା ସଂପର୍କରେ ବିଭିନ୍ନ ଲୋକଙ୍କୁ କହିଥିବାରୁ ଏ ସୂଚନା ମୃତ୍ୟୁଞ୍ଜୟଙ୍କ ନିକଟରେ ପହଞ୍ଚିଥିଲା। ମୃତ୍ୟୁଞ୍ଜୟ ଲାଲୁଙ୍କ ପାଖରେ ପହଞ୍ଚି ସୁନା ଗହଣା କିଣିଥିବା ଦୋକାନର ରସିଦ୍‌ ଓ ଓଜନ୍‌ର ସମସ୍ତ ପ୍ରମାଣ ଦେଇଥିଲେ। ଫଳରେ ଲାଲୁ ଓ ଜୟନ୍ତୀ ତାଙ୍କୁ ସୁନାର ବ୍ରେସ୍‌ଲେଟ୍‌ ଫେରାଇ ଦେଇଥିଲେ।

By amfnews

Related Post