Wed. Sep 23rd, 2026

ଅଜାତିରେ ବାହା ହୋଇଥିବା ଦମ୍ପତିଙ୍କୁ ହତ୍ୟା, ମୃତ ପତ୍ନୀ ଥିଲେ ୩ମାସର ଗର୍ଭବତୀ

211 Views

ଚେନ୍ନାଇ : ଦକ୍ଷିଣ ତାମିଲନାଡୁର ଥୋଟୁକୁଡି ଜିଲ୍ଲାରେ ଗତକାଲି କିଛି ଅଜଣା ଲୋକ ଏକ ଦମ୍ପତିଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁଯାୟୀ ମୃତ ପତ୍ନୀ ୩ମାସର ଗର୍ଭବତୀ ଥିଲେ।
ପ୍ରାପ୍ତ ଖବର ଅନୁଯାୟୀ ମୃତ ସ୍ୱାମୀ ଓ ସ୍ତ୍ରୀ ଜଣେ ଅନୁସୂଚିତ ବର୍ଗର ଥିଲେ। ସେ ଦୁହେଁ କିନ୍ତୁ ଭିନ୍ନ ଭିନ୍ନ ଜାତିର ଥିଲେ। ସ୍ୱାମୀ ସୋଲାଇ ରାଜ(୨୪) ଓ ସ୍ତ୍ରୀ ଜ୍ୟୋତି (୨୧) ପରିବାରର ବିରୋଧ ସତ୍ତ୍ୱେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ସୋଲାଇ ରାଜ୍‌ ଏକ ଲୁଣ କାରଖାନାରେ କାମ କରୁଥିଲେ। ଏହି ଦମ୍ପତି ବିଲାଧିକୁଲମ୍‌ ପାଖରେ ଥିବା ପେରିୟାର ନଗରରେ ରହୁଥିଲେ।

ଗତକାଲି ବିଳମ୍ବିତ ରାତିରେ କିଛି ଅସମାଜିକ ଲୋକ ଉଭୟେ ଶୋଇଥିବା ଅବସ୍ଥାରେ ଧାରୁଆ ଅସ୍ତ୍ରରେ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲେ। ଉଭୟଙ୍କର ମୁଣ୍ଡ,ମୁହଁ,ଛାତି ଓ ବେକକୁ ହାଣିଥିଲେ। ଘଟଣାସ୍ଥଳରେ ହିଁ ସୋଲାଇ,ରାଜ ଓ ଜ୍ୟୋତିଙ୍କର ପ୍ରାଣହାନି ଘଟିଥିଲା। ପରେ ସୋଲାଇରାଜର ମାଆ ଘରେ ପହଞ୍ଚି ଏଭଳି ଅଘଟଣ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତ ଦମ୍ପତିଙ୍କର ଶବ ବ୍ୟବଚ୍ଛେଦ କରିଛି। ହତ୍ୟା ଘଟଣାର ସନ୍ଦେହରେ ପୁଲିସ ଜ୍ୟୋତିଙ୍କ ପିତାଙ୍କୁ ଗିରଫ କରିଥିବା ଜଣାଯାଇଛି।

By amfnews

Related Post