Wed. Jul 1st, 2026

ଅଜଣା ଗାଡ଼ି ଧକ୍କାରେ ଦୁଇ ବୟସ୍କା ମହିଳାଙ୍କ ମୃତ୍ୟୁ

199 Views

ବଡ଼ମ୍ୱା: କଟକ ଜିଲ୍ଲା ବଡ଼ମ୍ୱା ଥାନା ଅଞ୍ଚଳରେ ଅଜଣା ଗାଡ଼ି ଧକ୍କାରେ ଦୁଇଜଣ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ,ବଡ଼ମ୍ୱା ଥାନା ଅନ୍ତର୍ଗତ ରତାପାଟ ନିକଟ ବାଲିଝରା ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

ରତାପାଟ ଗାଁର ଉପର ସାହିର ରଙ୍ଗବତୀ ସାହୁ ଓ ତାରା ନାୟକ ନାମ୍ନୀ ୨ ଜଣ ମହିଳା ଆଜି ଭୋର ସମୟରେ ଶୌଚ ସାରି ଘରକୁ ଫେରୁଥିବା ବେଳେ ହଠାତ୍ ତାଙ୍କ ପଛକୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଏହାଫଳରେ ସେମାନଙ୍କର ମୃତ୍ୟୁ ଘଟିଛି। ଏହାପରେ ଶବ ରଖି ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ। ଏହାଫଳରେ ପ୍ରାୟ ଘଣ୍ଟାଏ ଧରି ଉଭୟ ପଟରୁ ଯାନବାହନ ଚଳାଚଳ ବନ୍ଦ ରହିଥିଲା।

ଘଟଣା ସଂପର୍କରେ ଖବର ପାଇ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ରାସ୍ତାରୋକ ହଟେଇ ଥିଲା। ମୃତକଦ୍ୱୟଙ୍କ ପରିବାରକୁ ରେଡକ୍ରସ୍ ତରଫରୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଦେବାକୁ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ହଟିଥିଲା। ପୁଲିସ୍ ଦୁଇ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବଡ଼ମ୍ୱା ଡାକ୍ତରଖାନାକୁ ପଠାଇଥିବା ଜଣାଯାଇଛି।

By amfnews

Related Post