Fri. Jul 3rd, 2026

ଅଙ୍ଗୀ ନଦୀ ଗର୍ଭରେ ଲୀନ ହେବ ୩ ଶ୍ମଶାନ!

280 Views

ଡାବୁଗାଁ, ଡିସେମ୍ବର ୩: ଡାବୁଗାଁରେ ଥିବା ତିନୋଟି ପୁରୁଣା ଶ୍ମଶାନ ଧୀରେ ଧୀରେ ଅଙ୍ଗୀ ନଦୀ ଗର୍ଭରେ ଲୀନ ହୋଇଯିବା ନେଇ ଆଶଙ୍କା ଦେଖାଦେଇଛି। ପ୍ରଶାସନ ଏଦିଗରେ ଦୃଷ୍ଟି ଦେଉନଥିବାରୁ ଆଗାମୀ ଦିନରେ ଏହି ଶ୍ମଶାନ ସଂପୂର୍ଣ୍ଣ ଭାବେ ଲୀନ ହୋଇଯିବ ବୋଲି ସାଧାରଣରେ ଆଲୋଚନା ହେଉଛି। ଡାବୁଗାଁର ନୂଆଗୁଡା ଦେଇ ଯାଇଥିବା ଉମରାହାଣ୍ଡି ଶ୍ମଶାନ ଘାଟ, ଗୌଡ ସାହି ନିକଟସ୍ଥ ଶ୍ମଶାନ ଘାଟ ଓ ରାଜ୍ୟ ରାଜପଥ ଉପରେ ଏଭଳି ୩ଟି ଶ୍ମଶାନ ଘାଟ ରହିଛି। ଏହି ୩ଟି ଶ୍ମଶାନ ଘାଟ ଅଙ୍ଗୀ ନଦୀ କୂଳରେ ରହିଛି।

ଏଥି ମଧ୍ୟରୁ ଗୌଡ ସାହି ନିକଟସ୍ଥ ଓ ରାଜ୍ୟ ରାଜପଥ ପାର୍ଶ୍ବ ଶ୍ମଶାନ ଘାଟରେ ଅଧିକ ସଂଖ୍ୟାରେ ଶବଦାହ କରାଯାଇଥାଏ। ତେବେ ପ୍ରତିବର୍ଷ ଅଙ୍ଗୀ ନଦୀରେ ବନ୍ୟା ଜଳ ଆସି ଶ୍ମଶାନ ଘାଟ କୂଳ ଖାଇବା ଯୋଗୁଁ ଶ୍ମଶାନର ୨ମିଟରରୁ ଅଧିକ ସ୍ଥାନ ନଷ୍ଟ ହୋଇଛି। ଏଥିଯୋଗୁଁ ଶ୍ମଶାନ ଧୀରେ ଧୀରେ ସଂକୁଚିତ ହେବାକୁ ବସିଲାଣି। ବର୍ତମାନ ରାଜ୍ୟ ରାଜପଥ ପାର୍ଶ୍ବରେ ସୁଉଚ୍ଚ ପୋଲ ନିର୍ମାଣ କାର୍ଯ୍ୟ ଚାଲିଛି। ଏହା ସଂପୂର୍ଣ୍ଣ ହେଲେ ବନ୍ୟା ଜଳ ପଶି ଶ୍ମଶାନ ନଷ୍ଟ ହେବା ସମ୍ଭାବନା ଦେଖାଦେଇଛି। ବର୍ତମାନ ରାଜ୍ୟ ରାଜପଥକୁ ଲାଗି ୧୦ମିଟର ଦୂରତା ମଧ୍ୟରେ ଶବଦାହ କରାଯାଉଛି।

ଯଦି ଶୀଘ୍ର ଏହାର ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାନଯାଏ ତେବେ ଆଗାମୀ ପିଢ଼ିଙ୍କ ପାଇଁ ଶବଦାହ ସମୟରେ ସମସ୍ୟା ଦେଖାଦେବା‌ ନେଇ ଆଶଙ୍କା ଦେଖାଦେଇଛି। ତେଣୁ ବେଳ ଥାଉଥାଉ ପ୍ରଶାସନ ପକ୍ଷରୁ ଶ୍ମଶାନ ନିକଟସ୍ଥ ଅଙ୍ଗୀ ନଦୀ ପାର୍ଶ୍ବରେ ଗାର୍ଡୱାଲ ନିର୍ମାଣ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି। ସେହିପରି ଶ୍ମଶାନ ଘାଟ ନିକଟରେ ପାନୀୟ ଜଳ ବ୍ୟବସ୍ଥା ସହ ଶବଦାହ ପାଇଁ ଆସୁଥିବ‌ା ଲୋକଙ୍କ ନିମନ୍ତେ ଆଶ୍ରୟସ୍ଥଳୀ ନିର୍ମାଣ କରିବାର ଆବଶ୍ୟକତା ରହିଛି। ଶୀଘ୍ର ଏଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

By amfnews

Related Post