Sat. May 23rd, 2026

ଅଙ୍ଗନବାଡ଼ି କେନ୍ଦ୍ରରୁ ରାଜୁଙ୍କ ମୃତଦେହ ଉଦ୍ଧାର, ସନ୍ଦେହ ଘେରରେ ବିଏସ୍‌ଏଫ ଯବାନ

272 Views

ଚିତ୍ରକୋଣ୍ଡା  : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ସ୍ୱାଭିମାନ ଅଞ୍ଚଳର ଯନ୍ତାପାଇ ଗାଁ ମୁଣ୍ଡାରେ ଥିବା ଅଙ୍ଗନବାଡ଼ି  କେନ୍ଦ୍ରର ରୋଷେଇ ଘରୁ ଏକ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାଁ ରାଜୁ ହାନ୍ତାଳ। ତାଙ୍କ ଘର ଧୁଳିପୁଟ ପଞ୍ଚାୟତର ରାଙ୍ଗନିଗୁଡ଼ା ଗାଁରେ। ରାଜୁଙ୍କ ଶରୀରରେ କ୍ଷତ ଚିହ୍ନ ରହିଛି।

ରାଜୁଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ଗତ ଶୁକ୍ରବାର ଦିନ ସେ ଯନ୍ତାପାଇ ଠାରେ ହେଉଥିବା ସାପ୍ତାହିକ ହାଟକୁ ତାଙ୍କ ଦୁଇ ଝିଅ ସହିତ  ଔଷଧ ଓ ରାସନ ସାମାନ କିଣିବାକୁ ଯାଇଥିଲେ। ହେଲେ ସାଦା ପୋଷାକ ପିନ୍ଧିଥିବା ବିଏସ୍‌ଏଫ୍‌ ଯବାନ ରାଜୁଙ୍କୁ ହାଟରୁ ଡାକି ନେଇଥିବା ତାଙ୍କ ଝିଅ କହିଛନ୍ତି। ଆଉ  ସେହି ଦିନରୁ ରାଜୁ ଘରକୁ ଫେରି ନଥିଲେ।

ଗତକାଲି ଅପରାହ୍ଣ ପ୍ରାୟ ୩ଟା ବେଳେ ଅଙ୍ଗନବାଡ଼ି  କେନ୍ଦ୍ରର ରୋଷେଇ ଘରୁ  ମୃତଦେହ ଦେଖି ଅଙ୍ଗନବାଡ଼ି କେନ୍ଦ୍ରର କର୍ମଚାରୀମାନେ ପୁଲିସକୁ ଖବର ଦେଇଥିଲେ। ଏଥିସହ ମୃତକଙ୍କ ପରିବାର ଲୋକଙ୍କୁ ମଧ୍ୟ ଖବର ଦେଇଥିଲେ। ଖବର ପାଇ ପରିବାର ଲୋକେ ପହଞ୍ଚିଥିଲେ। ଏଥିସହ ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା।

ଅନ୍ୟପକ୍ଷରେ କିଛି ସାଦା ପୋଷାକରେ  ଥିବା ବିଏସ୍‌ଏଫ୍ କର୍ମଚାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାକୁ ନେଇ ବିଏସ୍‌ଏଫ୍‌ ଓ ଲୋକଙ୍କ ମଧ୍ୟରେ ବଚସା ହୋଇଥିଲା। ପୁଲିସ୍‌ ଉତ୍ତ୍ୟକ୍ତ ଲୋକଙ୍କୁ  ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏ ବାବଦରେ କୌଣସି ବିଏସ୍‌ଏଫ୍‌ କର୍ମଚାରୀଙ୍କ ପ୍ରତିକ୍ରିୟା ମିଳିନାହିଁ। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍ କହିଛି।ରାଜୁର ମୃତ୍ୟୁକୁ ନେଇ ବିଏସ୍‌ଏଫ୍‌ କର୍ମଚାରୀଙ୍କ କାର୍ଯ୍ୟକଳାପକୁ ସାଧାରଣ ମନରେ ପ୍ରଶ୍ନ ସୃଷ୍ଟି ହୋଇଛି।

By amfnews

Related Post