Fri. Jul 3rd, 2026

୫୧୪ଜଣ ପ୍ରବାସୀ ଓଡ଼ିଆଙ୍କୁ ନିଜ ଅଞ୍ଚଳକୁ ପଠାଇଲା : ଗଞ୍ଜାମ ଜିଲ୍ଲା ପ୍ରଶାସନ

221 Views

ବ୍ରହ୍ମପୁର : ଆଜି ସକାଳେ କେରଳରୁ ୫୧୪ଜଣ ପ୍ରବାସୀ ଓଡ଼ିଆ ଓଡ଼ିଶା ଫେରିଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଏହି ଆଜି ଭୋର ୫ଟା ସମୟରେ ୫୧୪ଜଣ ପ୍ରବାସୀ ଓଡ଼ିଆ ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ଆସି ବ୍ରହ୍ମପୁରର ଜଗନ୍ନାଥପୁର ରେଳ ଷ୍ଟେସନରେ ପହଞ୍ଚିଥିବା ଜଣାପଡ଼ିଛି।

ଓଡ଼ିଶାରେ ପହଞ୍ଚିଥିବା ଏହି ଟ୍ରେନ୍‌ରେ ଗଞ୍ଜାମ ଜିଲ୍ଲାର ୧୩୦, କନ୍ଧମାଳ ଜିଲ୍ଲାର ସବୁଠାରୁ ଅଧିକ ୩୮୨ ଏବଂ ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ଜଣେ ଲେଖାଏଁ ପ୍ରବାସୀ ଓଡ଼ିଆ ଥିବା ସୂଚନା ମିଳିଛି। ଏହି ପ୍ରବାସୀ ଓଡ଼ିଆମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ସେମାନଙ୍କୁ ୬ଟି ବସରେ ନିଜ ନିଜ ଅଞ୍ଚଳକୁ ପଠାଇଛି ପ୍ରଶାସନ। ଏହି ସମୟରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବଂ ବିଏମସି କମିସନର୍ ପ୍ରମୁଖ ଉପସ୍ଥିତ ଥିଲେ। ଏମାନେ ନିଜ ନିଜ ଅଞ୍ଚଳରେ ଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟର ରହିବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି।
ଏହି ଟ୍ରେନ ସକାଳ ସାଢେ ୮ଟା ସମୟରେ ଖୋର୍ଦ୍ଧା ରୋଡ ରେଳ ଷ୍ଟେସନରେ ପହଞ୍ଚିବ।

ସୂଚନାଯୋଗ୍ୟ ଯେ, କେରଳରେ ରହିଥିବା ଓଡ଼ିଆମାନଙ୍କୁ ଫେରାଇ ଆଣିବା ଲାଗି ସ୍ଥାନୀୟ ସରକାର ସହିତ ଆଲୋଚନା ହୋଇଥିଲା। ଯାତ୍ରୀମାନେ ‌କିଭଳି ସମ୍ମାନ ଓ ସୁବିଧାର ସହ ଫେରିବେ ସେଥିଲାଗି ‘ଅପରେସନ୍ ଶୁଭଯାତ୍ରା’ର ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ଏକ ୧୨ଜଣିଆ ଟିମ୍ ଗଠନ କରାଯାଇଥିଲା। ଏଥିରେ ରାଜସ୍ବ, ସ୍ବାସ୍ଥ୍ୟ, ପୁଲିସ ଓ ଅନ୍ୟ ବିଭାଗର ଅଧିକାରୀ ରହିଥିଲେ। ଯେଉଁ ଯାତ୍ରୀମାନେ ଆସିବେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଏକ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଥିଲା।

ଏପରିକି ଓଡ଼ିଶାକୁ ଫେରୁଥିବା ସମସ୍ତ ଯାତ୍ରୀଙ୍କ ବିବରଣୀ ପ୍ରଦାନ କରାଯାଇଥିଲା। ଏହି ବିବରଣୀକୁ ରାଜ୍ୟ ସରକାରଙ୍କ ପୋର୍ଟାଲରେ ଯାଞ୍ଚ କରାଯାଇଥିଲା। ଆସୁଥିବା ସମସ୍ତ ଯାତ୍ରୀ ଏଥିରେ ନିଜର ପଞ୍ଜୀକରଣ କରିଥିବା ସ୍ପଷ୍ଟ ହୋଇଥିଲା। ଯାତ୍ରୀଙ୍କ ତାଲିକା ପାଇବା ପରେ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏ ବିଷୟରେ ସୂଚନା ଦିଆଯାଇଥିଲା। ଜଗନ୍ନାଥପୁର ଷ୍ଟେସନ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।

By amfnews

Related Post