Fri. Jul 3rd, 2026

୪ ନିଶାଶକ୍ତ ଡ୍ରାଇଭରଙ୍କୁ ମାଡ଼ି ବସିଲା ପୁଲିସ୍‌

261 Views

ଚୌଦ୍ୱାର : ମଦ ପିଇ ଗାଡ଼ି ଚଳାଇ ପୁଲିସ୍‌ ହାତରେ ଧରା ପଡ଼ିଛନ୍ତି ଚାରି ଜଣ ନିଶାଶକ୍ତ ଡ୍ରାଇଭର। କଟକ ଜିଲ୍ଲା ମଙ୍ଗୁଳି ଟୋଲଗେଟରୁ ଗତ ରାତିରେ ସମସ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ହେଲେ ନାରାୟଣ ମହାନ୍ତି, ପ୍ରଦୀପ୍ତ କୁମାର ସ୍ୱାଇଁ, ବିଦ୍ୟାଧର ସୁରେନ୍‌ ଓ ମହମ୍ମଦ ନସିମ୍‌। ନାରାୟଣ ଟାଟା ଏସି ଡ୍ରାଇଭର ହୋଇଥିବା ବେଳେ ଅନ୍ୟ ୩ ଜଣ ବାଇକ୍‌ ଆରୋହୀ।

ଆଜି ସମସ୍ତଙ୍କୁ କୋର୍ଟଚାଲାଣ କରାଯିବ। ଏହାସହ ୧୪ ଜଣ ନିଶାଶକ୍ତ ଡ୍ରାଇଭରଙ୍କଠାରୁ ୧ଲକ୍ଷ ୧୦ ହଜାର ଟଙ୍କା ପୁଲିସ୍‌ ଜୋରିମାନା  ଆଦାୟ କରିଛି। ସୂଚନାଯୋଗ୍ୟ, ମଦ୍ୟପାନ କରି ଗାଡ଼ି ଚଳାଇଲେ ଡ୍ରାଇଭରଙ୍କୁ ଗିରଫ କରାଯିବା ନେଇ ଗତକାଲି ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟି ନିଷ୍ପତ୍ତି ନେଇଥିଲା। ଏହି ନିଷ୍ପତ୍ତିକୁ ରାଜ୍ୟରେ କଡ଼ାକଡ଼ି ପାଳନ କରିବାକୁ ପୁଲିସ୍‌ ଡିଜି ବିଜୟ କୁମାର ଶର୍ମା ନିର୍ଦ୍ଦେଶ ଦେଇଥିଲେ। ଗତକାଲି ସନ୍ଧ୍ୟାରୁ ରାଜ୍ୟର ସବୁ ଟୋଲଗେଟ୍‌ରେ ଚେକିଂ କରିବାକୁ ଡିଜିପି କହିଥିଲେ। ପୁଲିସ ମୁଖ୍ୟଙ୍କ ନିର୍ଦ୍ଦେଶ ପରେ ଟୋଲଗେଟ୍‌ରେ ଚେକିଂ ଆରମ୍ଭ ହୋଇଯାଇଥିଲା।

ସେହିପରି ଡିଜିଙ୍କ କଡା ନିର୍ଦ୍ଦେଶ ପରେ ବରଗଡ଼ ଜିଲ୍ଲାରେ ମଧ୍ୟ କଡାକଡି ଚେକିଂ କରାଯାଇଥିଲା। ବରାହଗୋଡାଠାରେ ଥିବା ଟୋଲପ୍ଲାଜାରେ ଏସ୍‌ପି ପଦ୍ନିନୀ ସାହୁଙ୍କ ଉପସ୍ଥିତିରେ ବିଭିନ୍ନ ଗାଡିର ଡ୍ରାଇଭରମାନଙ୍କ ଯାଞ୍ଚ କରାଯାଇଥିଲା। ଜୟପୁରରେ ମଧ୍ୟ ପୁଲିସ ପକ୍ଷରୁ ବ୍ୟାପକ ଚେକିଂ କରାଯାଇଥିଲା। ଗାନ୍ଧୀ ଛକ ନିକଟରେ ପୁଲିସ୍‌ ସମସ୍ତ ଗାଡିର ଡ୍ରାଇଭରମାନଙ୍କ ବ୍ରେଥ୍ ଆନାଲାଇଜର ଟେଷ୍ଟ କରିଥିଲା।

By amfnews

Related Post