Sat. Apr 25th, 2026

୩ ଜଣଙ୍କୁ ଲୁଟିଲେ ନିଶାଦିଆ ଲୁଟେରା

325 Views

ଖଣ୍ଡଗିରି : ମଙ୍ଗଳବାର କମିସନରେଟ୍‌ ପୁଲିସ ରାଜଧାନୀର ବିଭିନ୍ନ ସ୍ଥାନରୁ ୩ ଜଣ ଯୁବକଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରିଛି। ସେମାନେ ହେଲେ, ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ବୁଧପାଲିର ଛନ୍ଦାଚରଣ ସେଠୀ(୨୨), ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ବାଲୁକାନ୍ତିଆ ଗାଁର ଡମ୍ବରୁ କାଣ୍ଡଇବୁରୁ(୨୦) ଓ ବରସିଂ ଡାଙ୍ଗିର(୨୦)। ଡମ୍ବରୁ ଓ ବରସିଂଙ୍କୁ ପୁଲିସ ରସୁଲଗଡ଼ ଜିଜିପି କଲୋନି ନିକଟରୁ ଓ ଛନ୍ଦାଚରଣକୁ ୭ମ ବାଟାଲିଅନ୍‌ ନିକଟରୁ ଉଦ୍ଧାର କରିଛି। ଗତକାଲି ରାତିରୁ ରାଜଧାନୀର ରାଜରାସ୍ତାରେ ବେହୋସ୍‌ ପଡ଼ି ରହିଥିବା ଏହି ୩ ଯୁବକ ନିଶାଦିଆ ଲୁଟେରାଙ୍କ ଶିକାର ହୋଇଥିବା ଜଣାପଡ଼ିଛି। ସେମାନଙ୍କଠାରୁ ମୋବାଇଲ୍‌ ଫୋନ୍‌ ଓ ଟଙ୍କା ଲୁଟ୍‌ ହୋଇଥିବାରୁ ସେମାନେ ନିଶାଦିଆ ଲୁଟେରାଙ୍କ କବଳରେ ପଡ଼ିଥିବା ସନ୍ଦେହ କରାଯାଉଛି। ଡମ୍ବରୁ ଓ ବରସିଂ ସୋମବାର ରାତିରେ ଗୁଜୁରାଟରୁ ଟ୍ରେନ୍‌ ଯୋଗେ ଭୁବନେଶ୍ୱର ଫେରିଥିଲେ ଓ ଛନ୍ଦାଚରଣ ଏକ ଘରୋଇ କମ୍ପାନିରେ ନିଯୁକ୍ତି ପାଇଁ ସାକ୍ଷାତକାର ଦେବାକୁ ଘରୁ ଭୁବନେଶ୍ୱର ଆସିଥିଲେ। ଛନ୍ଦାଚରଣକୁ ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ନିଆଯାଇଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଭୁବନେଶ୍ୱର ରେଳ ଷ୍ଟେସନରୁ ନିଆଯାଇଥିବା ଜଣାପଡ଼ିଛି। କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପରେ ସ୍ୱେଚ୍ଛାସେବୀ ସଂଗଠନ ‘ସହାୟ’ ସେମାନଙ୍କୁ ଘରକୁ ପଠାଇବା ବ୍ୟବସ୍ଥା କରିଥିଲା।

By amfnews

Related Post