Wed. Sep 9th, 2026

୨ ଦିନ ହେବ ଓଏଚ୍‌ପିସି ଜିଏମ୍‌ ନିଖୋଜ

164 Views

ଧର୍ମଗଡ଼ : ଅଫିସ ଯାଉଛି କହି ଘରୁ ବାହାରିଗଲେ। ହେଲେ ୨ ଦିନ ହେଲା ପତ୍ତା ମିଳୁନି। ନି‌ଖୋଜ ବ୍ୟକ୍ତିଜଣକ ହେଲେ କଳାହାଣ୍ଡି ଜିଲ୍ଲା ମୁଖିଗୁଡାସ୍ଥିତ ଓଏଚ୍‌ପିସି କାର୍ଯ୍ୟାଳୟର ଇଲେକ୍ଟ୍ରି ବିଭାଗ ଜେନେରାଲ ମ୍ୟାନେଜର ନାରାୟଣ ପ୍ରସାଦ ମେହେର । ଏନେଇ ତାଙ୍କ ପତ୍ନୀ ସୁରେଖା ମେହେର ଗତକାଲି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୁଲିସ୍‌ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲେ ବି ଏଯାଏ ତାଙ୍କର କିଛି ପତ୍ତା ମିଳିପାରୁ ନାହିଁ।

ଜିଏମ୍‌ଙ୍କ ପତ୍ନୀ ସୁରେଖାଙ୍କ ଅଭିଯୋଗ ଅନୁଯାୟୀ, ଗତ ମଙ୍ଗଳବାର ଅଫିସ ଯାଉଛି କହି ସେ ସକାଳ ୧୦ଟାରେ ଘରୁ ବାହାରି ଯାଇଥିଲେ। ହେଲେ ୧୨ଟା ପରେ ସୁରେଖା ବାରମ୍ବାର ଫୋନ କରିଥିଲେ ମଧ୍ୟ ସେ ଉଠାଇ ନ ଥିଲେ। ଏହାପରେ ସନ୍ଦେହ ହେବାରୁ ସେ ବିଭିନ୍ନ ଜାଗାରେ ଖୋଜାଖୋଜି ଆରମ୍ଭ କରିଥିଲେ। ହେଲେ କିଛି ପତ୍ତା ପାଇପାରି ନ ଥିଲେ।

ଅଫିସରେ ପଚରାଉଚରା କରିବାରୁ ଅଫିସ ଆସିବାର ଅଳ୍ପ ସମୟ ବ୍ୟବଧାନରେ ସେ କାହାକୁ କିଛି ନ କହି କେଉଁଆଡ଼େ ପଳାଇଥିବା ଜଣାଯାଇଛି। ଏହାବ୍ୟତୀତ ତାଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ଥିବାରୁ ତାଙ୍କୁ ଯୋଗାଯୋଗ ସମ୍ଭବ ହୋଇପାରୁନି। ଏନେଇ ଗତକାଲି ଜୟପାଟଣା ଥାନାରେ ଏକ ନିଖୋଜ ମାମଲା ଦାୟର ହୋଇଛି।

ପୁଲିସ୍‌ ଏନେଇ ଖୋଜଖବର ଆରମ୍ଭ କରିଥିଲେ ମଧ୍ୟ ନିଖୋଜ ଜିଏମ୍‌ଙ୍କ ପତ୍ତା ମିଳୁ ନ ଥିବାରୁ  ଆଶାଆଶଙ୍କାରେ ରହିଛନ୍ତି ପରିବାର ଲୋକେ ।

By amfnews

Related Post