Fri. Aug 14th, 2026

୨୫ରେ ରାହୁଲଙ୍କ ଦିନିକିଆ ଓଡ଼ିଶା ଗସ୍ତ

309 Views

ଭୁବନେଶ୍ବର, ଜାନୁଆରୀ ୦୯  : ଆସନ୍ତା ୨୫ ତାରିଖରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ବହୁପ୍ରତୀକ୍ଷିତ ଓଡ଼ିଶା ଗସ୍ତରେ ଆସୁଛନ୍ତିି। ଏହି ଦିନିକିଆ ଗସ୍ତରେ ସେ କଟକର ବାଲିଯାତ୍ରା ପଡ଼ିଆରେ ସାଧାରଣ ସଭାରେ ଉଦ୍‌ବୋଧନ ଦେବେ। ସେଠାରୁ ଫେରି ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ନୂଆଦିଲ୍ଲୀ ପ୍ରତ୍ୟାବର୍ତନ କରିବାର କାର୍ଯ୍ୟକ୍ରମ ରହିଛି।

ଏହି ପରିପ୍ରେକ୍ଷୀରେ ଆଜି କଂଗ୍ରେସ ଭବନରେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରସ୍ତୁତି ବୈଠକ ପରେ ଶ୍ରୀ ପଟ୍ଟନାୟକ ରାହୁଲ ଗାନ୍ଧୀଙ୍କ ଗସ୍ତ କାର୍ଯ୍ୟକ୍ରମ ନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ସୂଚନାନୁସାରେ ଆସନ୍ତା ୨୫ ତାରିଖ ସକାଳ ପ୍ରାୟ ୧୦ଟାରେ ରାହୁଲ ଭୁବନେଶ୍ବରରେ ଆସି ପହଞ୍ଚିବେ। ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ତାଙ୍କୁ ଏକ ଶୋଭାଯାତ୍ରାରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପରିସରକୁ ନିଆଯିବ।

ସେଠାରେ ସେ ରାଜ୍ୟର ବିଶିଷ୍ଟ ବୁଦ୍ଧିଜୀବୀ, ସାମାଜିକ ଅନୁଷ୍ଠାନ, ବିଭିନ୍ନ ସଂଗଠନର କର୍ମକର୍ତାମାନଙ୍କ ସହିତ ଆଲୋଚନା କରିବେ। ଏହା ସହିତ କିଛି ଲୋକଙ୍କୁ ମଧ୍ୟ ସେ ଭେଟିପାରନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଭୁବନେଶ୍ବରରୁ ‌କଟକ ପର୍ଯ୍ୟନ୍ତ ରୋଡ୍‌-ଶୋରେ ଯାଇ କଟକର ବାଲିଯାତ୍ରା ପଡ଼ିଆରେ ପ୍ରଥମେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଦଳୀୟ କର୍ମୀ ଓ କର୍ମକର୍ତାମାନଙ୍କୁ ଉଦ୍‌ବୋଧନ ଦେବେ। ପରେ ସେ ସାଧାରଣ ସଭାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ। କଟକ ସାଧାରଣ ସଭା ପରେ ରାହୁଲ ଭୁବନେଶ୍ବର ଫେରି ଏଠାରେ ଅନୁଷ୍ଠିତ ହେବାକୁ ଥିବା ସାମ୍ବାଦିକ ସମ୍ମିଳନୀରେ ଯୋଗଦେବେ ବୋଲି ପିସିସି ସଭାପତି ସୂଚନା ଦେଇଥିଲେ। ଏହି ପ୍ରସ୍ତୁତି ବୈଠକରେ କଂଗ୍ରେସ ଅଧ୍ୟକ୍ଷଙ୍କ ଗସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳ, ଏଆଇସିସି ସଂପାଦକ ରୁଦ୍ରରାଜୁ ଯୋଗ ଦେଇଥିଲେ। ସେହିପରି ଖୋର୍ଧା, କେନ୍ଦ୍ରାପଡ଼ା, କଟକ,‌ ଯାଜପୁର, ଜଗତ୍‌ସିଂହପୁର ଆଦି ଉପକୂଳ ଜିଲ୍ଲାର ସଭାପତି ଓ ଛାମୁଆ ସଂଗଠନ ବିଭାଗର ମୁଖ୍ୟ ଓ ଅନ୍ୟମାନେ ଅଂଶଗ୍ରହଣ କରିଥିଲେ।

By amfnews

Related Post