Sat. Apr 25th, 2026

୨୨ ଦିନରେ ଆଇନଜୀବୀଙ୍କ ଆନ୍ଦୋଳନ : ରାଜ୍ୟପାଳଙ୍କୁ ଭେଟିଲେ ପ୍ରତିନିଧି

162 Views

କଟକ : ୨୦୧୮, ଅଗଷ୍ଟ ୨୯ରୁ ଆରମ୍ଭ ହୋଇଥିବା ଆଇନଜୀବୀ ଆନ୍ଦୋଳନ ଆଜି ୨୨ ଦିନରେ ପହଞ୍ଚିଛି। ଅଭିଯୁକ୍ତଙ୍କ ଗିରଫଦାରୀ ଦାବି ନେଇ ଆଇନଜୀବୀମାନେ ଅଡ଼ି ବସିଥିବା ବେଳେ କ୍ରାଇମବ୍ରାଞ୍ଚର ତଦନ୍ତକୁ ନେଇ ଗତକାଲି ମାମଲା ଶୁଣାଣି ସମୟରେ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଆନ୍ଦୋଳନ ଯୋଗୁ ହାଇକୋର୍ଟ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଅଦାଲତରେ ଅଚଳାବସ୍ଥା ଲାଗି ରହିଥିବା ବେଳେ ସେପ୍ଟେମ୍ବର ୨୦ରେ ଅନୁଷ୍ଠିତ ହେବାକୁ ଥିବା ହାଇକୋର୍ଟ ବାର୍‌ ଆସୋସିଏସନ୍‌ ସାଧାରଣ ପରିଷଦ ବୈଠକରେ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ। ଅନ୍ୟପକ୍ଷରେ ଆଜି ଆଇନଜୀବୀଙ୍କ ଏକ ପ୍ରତିନିଧି ମଣ୍ଡଳୀ ଭୁବନେଶ୍ୱର ଯାଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସାକ୍ଷାତ କରି ଆଲୋଚନା କରିଛନ୍ତି। ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ବରିଷ୍ଠ ଆଇନଜୀବୀ ଡକ୍ଟର ଟହଲି ଚରଣ ମହାନ୍ତି, ହାଇକୋର୍ଟ ବାର୍‌ ଆସୋସିଏସନ୍‌ ଉପସଭାପତି ବଂଶୀଧର ଶତପଥୀ, ସଂପାଦକ ସତ୍ୟବ୍ରତ ମହାନ୍ତି, କଟକ ବାର୍‌ ସଭାପତି ଉମାକାନ୍ତ ନନ୍ଦ, କ୍ରିମିନାଲ କୋର୍ଟସ୍‌ ବାର୍‌ ଆସୋସିଏସନ୍‌ ସଭାପତି ଅକ୍ଷୟ କୁମାର ପତି ପ୍ରମୁଖ ରାଜ୍ୟପାଳଙ୍କୁ ସାକ୍ଷାତ କରି ଆଲୋଚନା କରିବା ସହିତ ଅଭିଯୁକ୍ତଙ୍କ ଗିରଫଦାରୀ ଦାବି କରିଥିଲେ। ରାଜ୍ୟପାଳଙ୍କ ସହିତ ପ୍ରାୟ ୪୫ ମିନିଟ ସମୟ ଆଲୋଚନା ହୋଇଥିଲା। ଆଇନଜୀବୀ ପ୍ରତିନିଧିମାନେ ସ୍ମାରକପତ୍ର ସହିତ ଏତଲାର ନକଲ ଓ ଆଇନଜୀବୀଙ୍କୁ ପୁଲିସର ମାଡ ଘଟଣାର ଫଟୋଗ୍ରାଫ୍‌ ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ। ଉପଯୁକ୍ତ ପଦକ୍ଷେପ ଗ୍ରହଣ ପାଇଁ ରାଜ୍ୟପାଳ ପ୍ରତିଶ୍ରୁତି ଦେଇଥିଲେ ବୋଲି କ୍ରିମିନାଲ କୋର୍ଟସ୍‌ ବାର୍‌ ସଭାପତି ଶ୍ରୀ ପତି ସୂଚନା ଦେଇଛନ୍ତି।

By amfnews

Related Post