Sun. Apr 26th, 2026

୧୭ରେ ସ୍ଥଳଭାଗ ଛୁଇଁବ ‘ପେଥାଇ’

789 Views

୬ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ, ୧୬ ତାରିଖରୁ ଦକ୍ଷିଣ, ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା, ଚିନ୍ତାରେ ଚାଷୀକୁଳ

ଭୁବନେଶ୍ବର : ଆନ୍ଧ୍ରପ୍ରଦେଶ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ପେଥାଇ’। ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଥିବା ଅବପାତ ଆଜି ଗଭୀର ଅବପାତରେ ପରିଣତ ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ବାତ୍ୟାରେ ପରିଣତ ହେବ। ଆନ୍ଧ୍ରପ୍ରଦେଶର ଓଙ୍ଗୋଲ ଓ କାକ୍କିନଡା ମଧ୍ୟରେ ୧୭ ତାରିଖ ଅପରାହ୍‌ଣରେ ସ୍ଥଳଭାଗକୁ ସ୍ପର୍ଶ କରିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

ସମ୍ଭାବ୍ୟ ବାତ୍ୟା ଦ୍ବାରା ଆନ୍ଧ୍ରପ୍ରଦେଶ ଉପକୂଳ ଅଧିକ ପ୍ରଭାବିତ ହେବ। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଜି ପୁଣିଥରେ ଉପରୋକ୍ତ ରାଜ୍ୟଗୁଡ଼ିକର ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଚିଠି ଲେଖାଯାଇଛି। ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ବଙ୍ଗୋପସାଗର ଉପକୂଳ ଅଶାନ୍ତ ରହିବ। ତେଣୁ ମତ୍ସଜୀବୀମାନେ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

ପାଣିପାଗ ବିଭାଗର ସତର୍କ ସୂଚନା ପରେ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ଏସ୍‌ଆରସିଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳକୁ କୁହାଯାଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ୬ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ (ପ୍ରବଳ ବର୍ଷା) ଜାରି ହୋଇଛି। ୧୭ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ୧୬ରୁ ୧୮ ତାରିଖ ମଧ୍ୟରେ ଅଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର କେ‌ତେକ ସ୍ଥାନରେ ହାଲ୍‌କା ବର୍ଷା ହୋଇପାରେ। ଶନିବାରଠାରୁ ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗର ଅଶାନ୍ତ ରହିବ। ତେଣୁ ମତ୍ସଜୀବୀମାନେ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ‌ସେହିପରି ସମ୍ଭାବ୍ୟ ବର୍ଷା ଦ୍ବାରା ଧାନ ଫସଲ ନଷ୍ଟ ହେବାର ଆଶଙ୍କା ରହିଥିବାରୁ ଚାଷୀକୁଳ ଚିନ୍ତାରେ ପଡ଼ିଯାଇଛି। ଏଣେ କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ ସତର୍କ କରାଯିବା ସହ କଟା ଯାଇ ନ ଥିବା ଧାନକୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଆଣିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଜମିରେ ଶୁଖାଯାଇଥିବା ଧାନ ବିଡ଼ାକୁ ସୁରକ୍ଷିତ ସ୍ଥାନକୁ ନେବା, ଶୁଖି ଯାଇଥିବା ଧାନକୁ ଅମଳ କରିବା, ଖଳା ଓ ମଣ୍ଡିରେ ପଡ଼ି ରହିଥିବା ଧାନକୁ ପାଲ ଘୋଡ଼ାଇ ରଖିବାକୁ କୁହାଯାଇଛି।

By amfnews

Related Post