Wed. Sep 23rd, 2026

୧୫ ମିନିଟ୍‌ ଧରି ଆମ୍ବୁଲାନ୍‌ସ୍‌ ଡୋର୍‌ ନ ଖୋଲିବାରୁ ମରିଗଲେ ହୃଦ୍‌ଘାତ ଆକ୍ରାନ୍ତ ବ୍ୟକ୍ତି

241 Views

ହାଇଦ୍ରାବାଦ  : ମଙ୍ଗଳବାର ରାତିରେ ଠିକଣା ସମୟରେ ଆମ୍ବୁଲାନ୍‌ସ୍‌ ଆସି ମଧ୍ୟ ଜଣେ ୫୪ ବର୍ଷିୟ ବ୍ୟକ୍ତି ଡାକ୍ତରଖାନାକୁ ଯାଇ ନ ପାରି ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି। ଏହାର କାରଣ ହେଲା ଆମ୍ବୁଲାନ୍‌ସ ଡୋର୍‌ ଏମିତି ଲାଖି ରହିଥିଲା ଯେ ତାହାକୁ ଭାଙ୍ଗିବାକୁ କର୍ମଚାରୀମାନଙ୍କୁ ପ୍ରାୟ ୧୫ ମିନିଟ ଉଦ୍ୟମ କରିବାକୁ ପଡ଼ିଥିଲା।

ଚାଦେର୍‌ଘାଟ ପୁଲିସ କହିବା ଅନୁସାରେ, ବେଗମ୍‌ପେଟ୍‌ରେ କାମ ସାରି ଚେକ୍କଲା ଆନନ୍ଦ ନାମକ ଜଣେ ବଢ଼େଇ ଜିଲ୍ଲେଲ୍ଲାଗୁଡ଼ା ଅଞ୍ଚଳରୁ ମଲ୍ଟି-ମୋଡାଲ୍‌ ଟ୍ରାନ୍ସପୋର୍ଟ ସର୍ଭିସ ଟ୍ରେନ୍‌ ଯୋଗେ ଘରକୁ ଫେରୁଥିଲେ। ସେଠାରୁ ସେ ବସ୍‌ ଯୋଗେ ଘରକୁ ଯାଇଥାଆନ୍ତେ। କିନ୍ତୁ, ଟ୍ରେନ୍‌ ଷ୍ଟେସନ୍‌ରେ ପହଞ୍ଚିବାର କିଛି ମୁହୂର୍ତ୍ତ ଆଗରୁ ସେ ଛାତିରେ ଯନ୍ତ୍ରଣା ଏବଂ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ହେଉଥିବା କଥା କହିଥିଲେ। ତାଙ୍କ ସହଯାତ୍ରୀମାନେ ତୁରନ୍ତ ୧୦୮ ଆମ୍ବୁଲାନ୍‌ସ୍‌ ଡକାଇବା ସହ ତାଙ୍କ ପରିବାର ସଦସ୍ୟମାନଙ୍କୁ ସୂଚନା ଦେଇଥିଲେ।

ଟ୍ରେନ୍‌ ଷ୍ଟେସନ୍‌ରେ ପହଞ୍ଚିବା ବେଳକୁ ଆମ୍ବୁଲାନ୍‌ସ୍‌ ସଜ ହୋଇଥିଲା। ଯାତ୍ରୀମାନେ ଆନନ୍ଦଙ୍କୁ ଟ୍ରେନ୍‌ରୁ ଆମ୍ବୁଲାନ୍‌ସ୍‌ ନେବା ବେଳେ ଜଣାପଡ଼ିଲା ଆମ୍ବୁଲାନସ ଡୋର୍‌ ଲାଖିଯାଇଛି। ବହୁ ଚେଷ୍ଟା କରି ମଧ୍ୟ ଡ୍ରାଇଭର୍‌ ଓ ଅନ୍ୟ କର୍ମଚାରୀମାନେ ତାହାକୁ ଖୋଲି ପାରିଲେ ନାହିଁ।

୧୫ ମିନିଟ୍‌ ଚେଷ୍ଟା କରିବା ପରେ ସେମାନେ ହ୍ୟାଣ୍ଡଲ୍‌ ଭାଙ୍ଗି ଡୋର୍‌ ଖୋଲିଥିଲେ, କିନ୍ତୁ ସେତେବେଳକୁ ଆନନ୍ଦ ଟଳିପଡ଼ିଥିଲେ। ସବୁ ପ୍ରକାର ପ୍ରାଥମିକ ଉପଚାର ବୃଥା ହେଲା।

ସେତେବେଳକୁ ଘଟଣାସ୍ଥଳରେ ପହଞ୍ଚି ଯାଇଥିବା ତାଙ୍କ ପରିବାର ଲୋକେ ଆମ୍ବୁଲାନ୍‌ସ୍‌ ରକ୍ଷାଣାବେକ୍ଷଣରେ ଅବହେଳା କରାଯାଉଥିବା ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ।

By amfnews

Related Post