Sat. Apr 25th, 2026
232 Views

ରାୟଗଡା , ଜାନୁଆରୀ ୨୪ : ଗୁଣି ଗାରେଡ଼ି ସଂଦେହରେ ହତ୍ୟା ପରେ ପରିବାର ଲୋକଙ୍କ ଅଜାଣତରେ ଶବ ପୋଡି ଦେବା ମାମଲାର ଶୁଣାଣି କରି ଆଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଦେବଦତ୍ତ ଦାସ ମହାପାତ୍ର ରାୟ ପ୍ରକାଶ କରିଛନ୍ତି। ୧୯ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ଘଟଣାରେ ସଂପୃକ୍ତ ୧୪ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ନିର୍ଦେଶ ଶୁଣାଇଛନ୍ତି । ଏଥିସହ ସମସ୍ତ ଅଭିଯୁକ୍ତଙ୍କ ନିକଟରୁ ୨୫ ହଜାର ଟଙ୍କା ଲେଖାଁଏ ଜରିମାନା ଆଦାୟ ନିର୍ଦେଶ ଦେଇଛନ୍ତି। ଆଦାୟ ଜରିମାନା ଅର୍ଥରୁ ୨ ଲକ୍ଷ ୫୦ ହଜାର ଟଂକା ମୃତକଙ୍କ ପତ୍ନୀଙ୍କୁ ପ୍ରଦାନ କରିବାକୁ ରାୟରେ ଉଲ୍ଲେଖ କରିଛନ୍ତି।

୨୦୧୭ ନଭେମ୍ବର ୧୮ ତାରିଖ ରାତିରେ ରାୟଗଡା ଜିଲ୍ଲା ଶେଷଖାଲ ଥାନା ଚାଞ୍ଚଡା ଡ୍ରୁଗମ ଗ୍ରାମରେ ଘଟିଥିଲା ଏହି ଲୋମହର୍ଷଣକାରୀ ଘଟଣା। ଡେକିନା ତାଡିଙ୍ଗ୍ ଗୁଣି ଗାରେଡି କରୁଥିବା ସଂଦେହରେ କିଛି ଗ୍ରାମବାସୀ ଦୀର୍ଘ ଦିନ ଧରି ଅସନ୍ତୁଷ୍ଟ ଥିଲେ। ଡେକିନାଙ୍କୁ ଯୋଜନାବଦ୍ଧ ଆକ୍ରମଣ ପାଇଁ ସୁଯୋଗକୁ ଅପେକ୍ଷା କରି ରହିଥିଲେ। ଘଟଣାଦିନ ରାତ୍ରି ଭୋଜନ ପରେ ସାଢ଼େ ୯ଟାରେ ଡେକିନା ଓ ପତ୍ନୀ ଅନ୍ଦୁରୀ ତାଡିଙ୍ଗ୍ ଜମିକୁ ଫସଲ ଜଗିବାକୁ ଯାଉଥିଲେ। ଏହି ସମୟରେ ଗ୍ରାମର କାନ୍ଦୁଲବାଡ ନିକଟରେ ପୂର୍ବରୁ ଛପି ରହିଥିବା ଅଭିଯୁକ୍ତ ବୁଲୁକା ତାଡିଙ୍ଗ୍, ଦଣ୍ଡାସ ତାଡିଙ୍ଗ୍, ନରସେୟା ତାଡିଙ୍ଗ୍, କିସା ତାଡିଙ୍ଗ୍, ଯୋଗୀ ତାଡିଙ୍ଗ୍, ଶଂକର ତାଡିଙ୍ଗ୍, ଆନନ୍ଦ ତାଡିଙ୍ଗ୍, କିଟା ତାଡିଙ୍ଗ୍, ମୋହନ ତାଡିଙ୍ଗ୍, ଶୁକୁରୁ ତାଡିଙ୍ଗ୍, ମନୋଜ ତାଡିଙ୍ଗ୍, ପ୍ରହଲ୍ଲାଦ ତାଡିଙ୍ଗ୍, ଗୁମପା ତାଡିଙ୍ଗ୍ ପ୍ରମୁଖ ଠେଙ୍ଗାରେ ଡେକିନାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଆକ୍ରମଣରେ ଡେକିନାଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିବା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡି ଯାଇଥିଲା।

ସ୍ବାମୀଙ୍କୁ ନ ମାରିବା ପାଇଁ ଅନ୍ଦୁରୀ ନିବେଦନ କରିଥିଲା। ତେବେ ଅନ୍ଦୁରୀଙ୍କୁ ମଧ୍ୟ ଅଭିଯୁକ୍ତମାନେ ଆକ୍ରମଣ କରିବାପରେ ଘଟଣାସ୍ଥଳରୁ ସେ ଦୌଡ଼ି ପଳାଇ ଆସିଥିଲେ। ଏହାପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ କିଛି ଦୂରରେ ଡେକିନାଙ୍କ ଶବକୁ ନିଆଁ ଲଗାଇ ପୋଡି ଦେଇଥିଲେ।

ମାମଲା ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ବିଚରାଧୀନ ଥିବା ବେଳେ ଆଜି ମାମଲାର ରାୟ ପ୍ରକାଶ ପାଇଛି। ସରକାରଙ୍କ ପକ୍ଷରୁ ଆଇନଜୀବୀ ମହେଶ୍ବର ମହାପାତ୍ର ମାମଲାର ପରିଚାଳନା କରିଥିଲେ।

By amfnews

Related Post