Fri. Apr 24th, 2026

୧୦ ଜିଲ୍ଲାରେ ଇ-ଆଇସିୟୁ ବ୍ୟବସ୍ଥା

275 Views

ଭୁବନେଶ୍ବର : ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ଇ-ଆଇସିୟୁ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି। ଜିଲ୍ଲାସ୍ତରୀୟ ମୁଖ୍ୟ ଚିକିତ୍ସାଳୟରେ ପ୍ରତିଷ୍ଠା ହୋଇଥିବା ଆଇସିୟୁଗୁଡ଼ିକୁ ଏହା ଜରିଆରେ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ସହ ‌ସଂଯୋଗ କରାଯାଇପାରିବ। ସି-ଡାକ୍ ଓ ଡିସିଏଲ୍ ସଫ୍‌ଟୱେୟାର ଦ୍ବାରା ଅନୁବନ୍ଧିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ୧୦ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁକୁ ସଂଯୋଗ କରାଯିବ। ରାଜ୍ୟ ସ୍ବାସ୍ଥ୍ୟ ସଚିବ ଡା. ପ୍ରମୋଦ କୁମାର ‌ମେହେର୍ଦାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦିନିକିଆ ଇ-ଆଇସିୟୁ କର୍ମଶାଳାରୁ ଏହି ସୂଚନା ମିଳିଛି।

ସୂଚନା ଅନୁସାରେ, କଳାହାଣ୍ଡି, ପୁରୀ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ବଲାଙ୍ଗୀର, ନୂଆପଡ଼ା, ବାରିପଦା, ବାଲେଶ୍ବର ଓ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲକୁ ସଂଯୋଗ କରାଯିବ। ଏହି ଆଇସିୟୁଗୁଡ଼ିକ ଏସ୍‌ସିବି ମେଡିକାଲ କଲେଜର ଟେଲିମେଡିସିନ୍ କେନ୍ଦ୍ର ସହ ସଂଯୋଗ ହେବ। ଫଳରେ ଜିଲ୍ଲାସ୍ତରୀୟ ଆଇସିୟୁରେ ଚିକିତ୍ସିତ ଗୁରୁତର ରୋଗୀମାନଙ୍କ ଚିକିତ୍ସା ଓ ରେଫରାଲରେ କୌଣସି ସମସ୍ୟା ଉପୁଜିବ ନାହିଁ। ରେଫରାଲ ବ୍ୟବସ୍ଥାରେ ଉନ୍ନତି ଆସିବା ସହ ରୋଗୀମାନଙ୍କ ଚିକିତ୍ସା ସ୍ଥାନରେ ହିଁ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଲବ୍ଧ ହୋଇପାରିବ।

ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସ୍ବାସ୍ଥ୍ୟସେବା ବ୍ୟବସ୍ଥାରେ ଅତ୍ୟାଧୁନିକ ଜ୍ଞନକୌଶଳର ପ୍ରୟୋଗ ମାଧ୍ୟମରେ ଲୋକଙ୍କ ନିକଟର ହେବା ପାଇଁ ଆହ୍ବାନ କରିଥିବା ବେଳେ ବିଭାଗ ପକ୍ଷରୁ ଏଥିପାଇଁ ତତ୍ପରତା ପ୍ରକାଶ ପାଇଛି। ଏଥିପାଇଁ ରାଜ୍ୟରେ ପ୍ରଚଳିତ ଷ୍ଟାଣ୍ଡାର୍ଡ ଅପରେସନ୍ ପ୍ରୋସିଡିୟର ଅନୁସାରେ ଚିକିତ୍ସା ଯୋଗାଇ ଦେବା ପାଇଁ ନିଷ୍ପତ୍ତି ହୋଇଛି। ବିଏସ୍‌ଏନ୍‌ଏଲ ପକ୍ଷରୁ ଜିଲ୍ଲାସ୍ତରୀୟ ଚିକିତ୍ସାଳୟ ଆଇସିୟୁଗୁଡ଼ିକରେ ଅପ୍ଟିକାଲ ଫାଇବର କେବୁଲ ତଥା ୧୦ ଏମ୍‌ବିପିଏସ୍‌ ବେଗରେ ଇଣ୍ଟରନେଟ୍‌ ସେବା ଯୋଗାଇ ଦେବାକୁ କୁହାଯାଇଛି। ଏହାଦ୍ବାରା ଡାଟା ‌ଟ୍ରାନ୍‌ସଫର୍‌ ନିରନ୍ତରତା ଓ ଗୁଣବତ୍ତା ବଜାୟ ରହିପାରିବ। ଏହି କର୍ମଶାଳାରେ ପ୍ରସ୍ତାବିତ ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀ, ମେଡିକାଲ କଲେଜର ଟେଲି ମେଡିସିନ୍ ବିଭାଗର ଅଧିକାରୀଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

By amfnews

Related Post