Fri. Jul 3rd, 2026

ହ୍ରାଇଦ୍ରାବାଦ ଟେଷ୍ଟ: ହୋଲଡର-ଚେସ୍‌ଙ୍କ ଶତକୀୟ ଭାଗିଦାରୀ, ପ୍ରଥମ ଦିନରେ ୱେଷ୍ଟଇଣ୍ଡିଜ୍‌ ସ୍କୋର ୨୯୫/୭

408 Views

ହାଇଦ୍ରାବାଦ: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଦ୍ୱିତୀୟ ତଥା ଶେଷ ଟେଷ୍ଟ ମ୍ୟାଚ ହାଇଦ୍ରାବାଦ୍‌ର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ଶୁକ୍ରବାର ଆରମ୍ଭ ହୋଇଯାଇଛି। ଟସ୍‌ ଜିଣି ୱେଷ୍ଟଇଣ୍ଡଜ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଦିନ ପଡିଆରୁ ଅବସର ନେବା ପୂର୍ବରୁ ଟିମ୍‌ ୭ଟି ଓ୍ଵିକେଟ୍‌ ହରାଇ ୨୯୫ ରନ୍‌ ସଂଗ୍ରହ କରିଛି। ରୋଷ୍ଟନ ଚେସ୍‌(୯୮ରନ୍‌) ଓ ଦେବେନ୍ଦ୍ର ବିଶୁ(୨ରନ୍‌) କ୍ରିଜ୍‌ରେ ଅଛନ୍ତି। ଏକଦା ୱେଷ୍ଟଇଣ୍ଡିଜର ଅବସ୍ଥା ଖରାପ ସ୍ଥିତିରେ ପହଞ୍ଚି ଯାଇଥିଲା। ମାତ୍ର ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଅଧିନାୟକ ଜେସନ ହୋଲଡର ଓ ରୋଷ୍ଟନ ଉପସ୍ଥିତ ବୁଦ୍ଧି ଲଗାଇ କ୍ରିଜରେ ଛିଡ଼ା ହୋଇଥିଲେ।

ପ୍ରଥମ ଦିନର ଖେଳ ଶେଷ ହେବା ପୂର୍ବରୁ ଚେସ ୯୮ ରନ ସଂଗ୍ରହ କରି ବ୍ୟାଟିଂ ଜାରି ରଖିଛନ୍ତି। ସେ ୧୭୪ ବଲ ଖେଳି ୭ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି। ହୋଲଡର ତାଙ୍କୁ ସାହାଯ୍ୟ କରିଥିଲେ ଏବଂ ସପ୍ତମ ଓ୍ଵିକେଟରେ ୧୦୪ ରନ୍‌ ଭାଗିଦାରୀ ହୋଇ ପାରିଥିଲେ। ହୋଲଡର ୫୨ ରନ୍‌ ଯୋଡ଼ିବା ପାଇଁ ୯୨ଟି ବଲ ଖେଳିଥିଲେ। ଏହା ବ୍ୟତୀତ ସାଇ ହୋପ ୩୬ ରନ୍‌ ଓ ସେନ ଡାଭରିଚ ୩୦ ରନ ସଂଗ୍ରହ କରିଥିଲେ।

ଭାରତ ପାଇଁ କୁଲଦୀପ ଯାଦବ ଓ ଉମେଶ ଯାଦବ ୩-୩ ଓ୍ଵିକେଟ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ ଓ୍ଵିକେଟ ନେଇଥିଲେ। ନିଜର ପ୍ରଥମ ମ୍ୟାଚ ଖେଳିଥିବା ଶାର୍ଦ୍ଦୁଲ ଠାକୁର ୧.୪ ଓଭର ବୋଲିଂ କରି ଆଘାତ ପାଇବାରୁ ପାଭଲିଅନ ଫେରି ଯାଇଥିଲେ।

By amfnews

Related Post